ଝାରସୁଗୁଡ଼ାରୁ ପୁଣି ଜଣେ କରୋନା ଆକ୍ରାନ୍ତ ମୃତ : ୬୦ ନୂଆ ଆକ୍ରାନ୍ତ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ କିର୍ମିରା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା କୁଜିମାଲ୍ ଗାଁର ୪୬ ବର୍ଷୀୟ ପୁରୁଷ। ସେ ପ୍ରାୟ ୧୫ ଦିନ ପୂର୍ବରୁ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ୬ଦିନ ହେଲା ଭେଣ୍ଟିଲେଟରରେ ଥିଲେ। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପ୍ଲାଜମା ଥେରାପି ପ୍ରଦାନ କରାଯାଇଥିଲା। ଏହାସତ୍ତେ୍ୱ ଆକ୍ରାନ୍ତ ଜଣକ ପ୍ରାଣ ହରାଇଥିବା ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି। କୋଭିଡ୍ ନିୟମାନୁଯାୟୀ ମେଡିକାଲ ଟିମ୍ ଦ୍ୱାରା ଆକ୍ରାନ୍ତଙ୍କ ଶେଷକୃତ୍ୟ ଝାରସୁଗୁଡ଼ାରେ ସମ୍ପନ୍ନ କରାଯାଇଛି। ଏହାପୂର୍ବରୁ କୋଲାବିରା ବ୍ଲକ ଅନ୍ତର୍ଗତ ରଘୁନାଥପାଲି ଗ୍ରାମର ଜଣେ କରୋନା ଆକ୍ରାନ୍ତ ରାଉରକେଲାସ୍ଥିତ କୋଭିଡ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ। ଫଳରେ ଜିଲ୍ଲାରେ କୋଭିଡ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି ପାଇଛି।

ଅନ୍ୟପଟେ ଜିଲ୍ଲାରେ ୬୦ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୨୭ ଜଣ, ବେଲପାହାଡ଼ ପୌରପରିଷଦ ଅଞ୍ଚଳରୁ ୧୦ଜଣ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୬ଜଣ, ଝାରସସୁଗୁଡ଼ା ବ୍ଲକରୁ ୯ଜଣ, ଲଖନପୁର ବ୍ଲକ ଅଞ୍ଚଳରୁ ୨ଜଣ, ଲଇକେରା ବ୍ଲକରୁ ୨ଜଣ ଓ କିର୍ମିରା ବ୍ଲକ ଅଞ୍ଚଳରୁ ୪ଜଣ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୩ଜଣ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରୁ ଓ ୫୭ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୮୦କୁୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୮୭୫ଜଣ ସୁସ୍ଥ ହୋଇଛନ୍ତି, ୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୫୦୩ଜଣଙ୍କ ଚିକିତ୍ସା ଜାରି ରହିଛି।