ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

କୁଆଁପାଳ,ଏନ୍ଏନ୍ଏସ୍: କଟକ ଜିଲ୍ଲା ମାହାଙ୍ଗା ବ୍ଲକର କୁଆଁପାଳ-ସାଲେପୁର ପୂର୍ତ୍ତି ବିଭାଗ ରାସ୍ତାର ବଣୁଆପୀଠ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨ଜଣ ଗୁରୁତର ହୋଇଥିବାବେଳେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ରିପୋର୍ଟ ମୁତାବକ, ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ସ୍କୁଟିରେ ଆସୁଥିବା ମଧୁପୁର ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ମୁକ୍ତାର ମହମ୍ମଦଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟପଟେ କାଳିଅ ଅଞ୍ଚଳର ୨ ବାଇକ ଆରୋହୀ ପ୍ରକାଶ ଭୂୟାଁ ଓ ଗଗନ ସାମଲଙ୍କୁ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ମାହାଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଦୁହିଁଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତର କରାଯାଇଛି।