ନଦୀରେ ନୌକାବୁଡି ଏକ ମୃତ, ୧୦ ନିଖୋଜ

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲା ମହିଷାଦଳ ଥାନା ଅନ୍ତର୍ଗତ ରୂପନାରାୟଣ ନଦୀରେ ଏକ ନୌକା ବୁଡିଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ନିଖୋଜ ଅଛନ୍ତି। ସକାଳ ୯ଟା ୩୦ ସମୟରେ ଏହି ଦୁର୍ଘଟଣା ଘଟିଛି। ସୋମବାର ସକାଳ ସମୟରେ ଏକ ଯାତ୍ରୀବାହୀ ଡଙ୍ଗା ରୂପନାରାୟଣ ନଦୀର ମାୟାଚର ଘାଟରୁ ମହିଷାଦଳ ଅମୃତବେଡିୟା ଘାଟ ଆଡକୁ ଯାଉଥିଲା। ଡଙ୍ଗାରେ ୪୫ଜଣ ଲୋକ ଯାତ୍ରା କରୁଥିଲେ। ଉଦ୍ଧାରକାରୀଙ୍କ ସହାୟତାରେ ୩୪ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାର ପରେ ଜଣେ ବ୍ୟକ୍ତିଙ୍କର ସ୍ଥାନୀୟ ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଏଥିରେ ୧୦ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଓ ମହିଳା ରହିଥିବା ସ୍ଥାନୀୟ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ପୁଲିସ ସହ ଭାରତୀୟ ନୌସେନାର ମଧ୍ୟ ନିଖୋଜଙ୍କ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି।