ପିକଅପ୍ ଭ୍ୟାନ ତଳେ ଚାପି ହୋଇ ସାଇକେଲ ଆରୋହୀ ମୃତ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ସହରର ଶିଳ୍ପାଞ୍ଚଳର କିଛି ଦୂରରେ ଆଜି ପୂର୍ବାହ୍ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ସାଇକେଲ ଆରୋହୀର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଜାତୀୟ ରାଜପଥ ନଂ-୧୬ରେ ଥିବା ବାଲେଶ୍ୱର ସହରର ଶିଳ୍ପାଞ୍ଚଳ ଥାନାଠାରୁ ପ୍ରାୟ ୧୦୦ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି। ସକାଳ ପ୍ରାୟ ୧୦ଟା ୧୫ରେ ଏକ ଧାନ ବୋଝେଇ ପିକ୍ ଅପ୍ ଭ୍ୟାନ୍ ବାମପଦା ଛକରେ ଜଣେ ସାଇକେଲ ଆରୋହୀଙ୍କ ଉପରେ ପଡ଼ିଯାଇଥିଲା।

ପିକ୍ ଅପ୍ ଭ୍ୟାନ୍(ଓଆର୍ -୧୧ଡି-୧୨୨୫) ବାଲେଶ୍ୱର ସହରରୁ ରେମୁଣା ଗୋଲେଇ ଛକ ଆଡ଼କୁ ଯାଉଥିଲା। ଶିଳ୍ପାଞ୍ଚଳ ଥାନାଠାରୁ ପ୍ରାୟ ୧୦୦ମିଟର ଦୂରରେ ଥିବା ଏକ ହମ୍ପ୍ସରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ସମୟରେ ରେମୁଣା ଗୋଲେଇ ଛକ ଆଡ଼କୁ ଯାଉଥିବା ଜଣେ ସାଇକେଲ ଆରୋହୀଙ୍କୁ ପିକ୍ ଅପ୍ ଭ୍ୟାନ୍ ଚାପି ଦେଇଥିଲା। ଏହା ଫଳରେ ଘଟଣାସ୍ଥଳରେ ହିଁ ଉକ୍ତ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଥିଲେ।

ପରେ ଶିଳ୍ପାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି। ଏ ନେଇ ପୁଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ପିକ୍ ଅପ୍ ଭ୍ୟାନକୁ ପୁଲିସ ଜବତ କରିଛି। ଏହି ରିପୋର୍ଟ ପ୍ରସ୍ତୁତ ହେବା ଯାଏଁ ମୃତ ସାଇକେଲ ଆରୋହୀଙ୍କର ପରିଚୟ ମିଳିନାହିଁ।