ପଥର ଖାଦାନ ଦୁର୍ଘଟଣା ମାମାଲାରେ ଜଣେ ମୃତ, ଘଟଣା ଚପାଇବାକୁ ଉଦ୍ୟମ

ଟିଟିଲାଗଡ଼,ଏନ୍‌ଏନ୍‌ଏସ୍‌: ଟିଟିଲାଗଡ଼ ବ୍ଲକ ସିହିନୀ ଗ୍ରାମସ୍ଥିତ ପଥର ଖାଦାନରେ ବିସ୍ଫୋରକ ଭାବେ ବ୍ୟବହୃତ ହେଉଥିବା ଇଡି ଯୋଗୁ ବିସ୍ଫୋରଣ ଘଟି ୨ଜଣ ଗୁରୁତର ଆହତ ହୋଇ ଭବାନୀପାଟଣାରେ ଚିକିତ୍ସା ହେଉଥିବାବେଳେ ଆଜି ଜଣଙ୍କର ମୃତ୍ୟୁ ଘଟିଛି । ହେଲେ ପରିବାର ଲୋକେ ଏପର୍ଯ୍ୟନ୍ତ ଟିଟିଲାଗଡ଼ ପୁଲିସ ପାଖରେ କୌଣସି ଅଭିଯୋଗ କରିନଥିବା ସଭିଙ୍କୁ ଚକିତ କରିଛି । ମିଳିଥିବା ରିପୋର୍ଟ ମୁତାବକ, ସୋମବାର ଭୋର୍ ୪ଟାରେ ଟିଟିଲାଗଡ଼ ନିକଟସ୍ଥ ପିଟାପଡ଼ା ଗ୍ରାମର ମନୋଜ ମାଝୀ ଓ ଯଶୋବନ୍ତ ପ୍ରଧାନୀ ସିହିନୀ ଗ୍ରାମସ୍ଥିତ ପଥର ଖାଦାନରେ ଗାତ ଖୋଳା ମେସିନରେ ଗାତ ଖୋଳୁଥିବା ସମୟରେ ହଠାତ୍ ବିସ୍ଫୋରଣ ହୋଇଥିଲ । ଫଳରେ ୨ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ସମୟରେ ଖାଦାନର ମାଲିକ ଜଗ ସାହୁ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିଥିଲେ ଏବଂ ଆହତ ଦ୍ୱୟଙ୍କୁ ପ୍ରଥମେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଏନେଇ ସିହିନୀ ସରପଞ୍ଚଙ୍କୁ ପଚାରିବାରୁ ସେ ଏବିଷୟରେ କିଛି ଜାଣି ନଥିବା କହିଛନ୍ତି । ଏତେ ବଡ଼ ଧରଣର ଘଟଣା ଘଟିବାର ୨ଦିନ ପରେ ମଧ୍ୟ ପ୍ରଶାସନ ନଜରରେ ନ ଆସିବା ଅତ୍ୟନ୍ତ ଦୁଃଖଦାୟକ । ପଥର ଖାଦାନ ଆଇନ୍ ନା ବେଆଇନରେ ଚାଲୁଥିଲା ଓ ସେଥିରେ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ କେଉଠୁ ଆସୁଥିଲା ତାହା ଏବେ ତଦନ୍ତ ସାପେକ୍ଷ ହେଇଛି । ତେବେ ଖାଦାନର ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉଛି ନା ଆପୋଷ ବୁଝାମଣା ହୋଇ ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ ହେଉଛି ତାହା ଦେଖିବାକୁ ରହିଲା ।