ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କ ମୃତ୍ୟୁ : ସ୍ୱାମୀ, ଶ୍ୱଶୁର ଏବଂ ଶାଶୂ ଅଟକ

ଧୂଷୁରୀ,ଏନ୍‍ଏନ୍‍ଏସ୍‍ : ବୁଧବାର ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଅର୍ଣ୍ଣପାଳ ପଞ୍ଚାୟତ ସ୍ଥିତ ଭକ୍ତିବ୍ରହ୍ମପୁର ଗାଁ’ର ବିବାହିତା ମହିଳା ସୁଭଦ୍ରା ସାହୁ(୨୭)ଙ୍କର ମୃତ୍ରୁ ଘଟିଛି। ଏହି ଘଟଣାରେ ଗ୍ରାମାଞ୍ଚଳ ଥାନା ପୁଲିସ ମୃତା ମହିଳାଙ୍କ ସ୍ୱାମୀ, ଶ୍ୱଶୁର ଏବଂ ଶାଶୂକୁ ଅଟକ ରଖିଥିବା ଜଣାପଡ଼ିିଛି।

ସୂଚନା ଅନୁଯାୟୀ, ପାରିବାରିକ ଅଶାନ୍ତିକୁ କେନ୍ଦ୍ରକରି ବୁଧବାର ଅପରାହ୍ନରେ ଭକ୍ତିବ୍ରହ୍ମପୁର ଗାଁ’ର ବଳରାମ ସାହୁଙ୍କ ସ୍ତ୍ରୀ ସୁଭଦ୍ରା ନିଜ ଦେହରେ କିରୋସିନ ଢାଳିହୋଇ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଜଳୁଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସଂକଟାଜନକ ସ୍ଥିତିରେ ସୁଭଦ୍ରାଙ୍କୁ କଟକ ନିଆଯାଉଥିବା ବେଳେ ଭଣ୍ଡାରୀପୋଖରୀ ନିକଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଗୁରୁବାର ମୃତା ମହିଳାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ଶ୍ୱଶୁରଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୃତା ସୁଭଦ୍ରାଙ୍କ ବାପଘର ଭଣ୍ଡାରୀପୋଖରୀ ଅଞ୍ଚଳରେ ହୋଇଥିବା ସ୍ଥଳେ ଦୁଇ ବର୍ଷ ପୂର୍ବେ ଅର୍ଣ୍ଣପାଳ ଭକ୍ତିବ୍ରହ୍ମପୁର ଗାଁ’ର ବଳରାମ ସାହୁଙ୍କୁ ବିବାହ କରିଥିଲେ। ସୁଭଦ୍ରାଙ୍କ ସାତ ମାସର ଏକ ଶିଶୁ କନ୍ୟା ରହିଛି। କାହିଁକି ଏବଂ କେଉଁ କାରଣରୁ ସେ ଆତ୍ମହତ୍ୟା କରିବାର ନିଷ୍ପତି ନେଲେ ତାହାର ସଠିକ କାରଣ ସ୍ପଷ୍ଟ ହୋଇ ପାରିନଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ସୁଭଦ୍ରାଙ୍କ ସ୍ୱାମୀ ବଳରାମ, ଶ୍ୱଶୁର ଜଗବନ୍ଧୁ ଏବଂ ଶାଶୂ ପାର୍ବତୀଙ୍କୁ ଅଟକ ରଖିଛି।