ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

ଗଞ୍ଜାମ, ଏନ୍ଏନ୍ଏସ୍ : ବୁଧବାର ମଧ୍ୟାହ୍ନରେ ଖଲ୍ଲିକୋଟ ଷଣ୍ଢପୁର ଗ୍ରାମର ରୋଗୀ ଭୀମସେନ ସ୍ୱାଇଁ (୬୦)ଙ୍କୁ ଚାନ୍ଦପୁର ବସନ୍ତ ମଞ୍ଜରୀ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତରଙ୍କ ଅବହେଳାରୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଭୀମସେନଙ୍କ ପତ୍ନୀ ଉଜ୍ଜଳା ସ୍ୱାଇଁ ଅଭିଯୋଗ କରିଛନ୍ତି ।

ପତ୍ନୀ ଉଜ୍ଜଳାଙ୍କ ଅଭିଯୋଗ ମୁତାବକ, ଭୀମସେନଙ୍କ ଅବସ୍ଥା ଗୁରୁତର ଥିଲା । ଡ୍ୟୁଟିରେ ଥିବା ଡାକ୍ତର ଗୋଟିଏ ଇଞ୍ଜେକସନ୍ ଦେଇ ଅକ୍ସିଜେନ ଲଗାଇ ଚାଲି ଯାଇଥିଲେ । ଯିବା ପୂର୍ବରୁ ବେହେରା ବାବୁ ଆସିଲେ ଦେଖିବେ ବୋଲି କହି ଯାଇଥିଲେ । କିନ୍ତୁ ଦୀର୍ଘ ସମୟ ଧରି ବେହେରା ବାବୁ କିମ୍ବା ଡାକ୍ତର କେହିହେଲେ ଆସିନଥିଲେ । ଫଳରେ ଉପଯୁକ୍ତ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ଘଟିଥିଲା ।