ଅକ୍ସିଜେନ୍ ସିଲିଣ୍ଡର୍ ଟ୍ରକରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ,ଏନ୍ଏନ୍ଏସ୍: ଜୟପୁର ସଦର ଥାନା ପୁଲିସ ଅକ୍ସିଜେନ୍ ସିଲିଣ୍ଡର୍ ପରିବହନ କରୁଥିବା ଏକ ଟ୍ରକରୁ ୧କୋଟି ୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରି ୨ଜଣଙ୍କୁ ଗିରଫ କରିଛି। ମିଳିଥିବା ରିପୋର୍ଟ ମୁତାବିକ, କୋରାପୁଟ ଆଡୁ ଜୟପୁରକୁ ଯାଉଥିବା ଏକ ଅକ୍ସିଜେନ୍ ସିଲିଣ୍ଡର୍ ଭରା ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ବିଶ୍ୱସ୍ତ ସୂତ୍ରରୁ ଜୟପୁର ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଏ.ମହାଙ୍କୁଡ଼ଙ୍କୁ ମିଳିଥିଲା। ସୂଚନାକୁ ଆଧାର କରି ଓଆଇସି ମହାଙ୍କୁଡ଼ଙ୍କ ସମେତ ସବଇନ୍ସପେକ୍ଟର ଏନ୍ କେ ଟପ୍ପୋ ଓ ଅନ୍ୟ ପୁଲିସ କର୍ମଚାରୀ ୨୬ନଂ ଜାତୀୟ ରାଜପଥର ଜୟପୁର-କୋରାପୁଟ ଘାଟିରେ ଗାଡ଼ିକୁ ଅପେକ୍ଷା କରିଥିଲେ। ଟ୍ରକ୍ ପହଂଚିବା ମାତ୍ରେ ପୁଲିସ୍ ଟିମ୍ ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ବେଳକୁ ଗାଡ଼ିରୁ ଜରି ଅଖାରେ ଥିବା ୧୨୭୭ କିଲୋଗ୍ରାମ୍ ଗଞ୍ଜେଇ ମିଳିଥିଲା। ପୁଲିସ୍ ଟ୍ରକ୍ ସହ ଗଞ୍ଜେଇ ଜବତ କରିଥିବାବେଳେ ଟ୍ରକ୍ ଡ୍ରାଇଭର୍ ପଞ୍ଜାବର ଲୁଧିଆନା ଜିଲ୍ଲା ତେଜପୁର୍ ରୋଡର ୟୋଶପାଲ୍(୪୩) ଓ ଗଞ୍ଜେଇ କିଣି ନେଉଥିବା ଲଖବିନ୍ଦର୍ ସିଂହ(୪୩)କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କଠାରୁ ପୁଲିସ୍ ୨ଟି ମୋବାଇଲ ଫୋନ ଓ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଟ୍ରକକୁ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟି ୧୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।