ମାଲକାନଗିରି ଜିଲ୍ଲାରେ ପୁଣି ଜଣେ କରୋନା ରୋଗୀ ଚିହ୍ନଟ

ମାଲକାନଗିରି/କୋରୁକୋଣ୍ଡା,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଧିନସ୍ଥ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଜଣେ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ସୁରଟ ଫେରନ୍ତା ବୋଲି ଜଣାପଡ଼ିଛି । ଫଳରେ ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଏଥିପୂର୍ବରୁ ୨୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ଓ ପରେ ଗତ ୭ ତାରିଖରେ ଅନ୍ୟ ୨ ଜଣ ଆରୋଗ୍ୟ ଲାଭ କରିବା ପରେ ସମସ୍ତ ରୋଗୀ ଘରକୁ ଫେରିଥିଲେ। ତେବେ ଆଜି ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁରଟରୁ ଫେରିବା ପରେ ତାଙ୍କୁ ସଂପୃକ୍ତ ବ୍ଲକ ଅନ୍ତର୍ଗତ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା। ତାଙ୍କ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବା ପରେ ଆଜି ପଜିଟିଭ ରିପୋର୍ଟ ଆସିଛି। ଚିକିତ୍ସା ପାଇଁ ତାଙ୍କୁ କୋଭିଡ ଚିକିତ୍ସାଳୟକୁ ସ୍ଥାନାନ୍ତରୀତ କରାଯାଇଛି।

ଖବର ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କଂନଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି। ଏହାର ୧୦୦ ମିଟର ଦୂରରେ ବାଉଁଶ ବାଡ଼ କରି ରାସ୍ତାକୁ ସିଲ କରାଯାଇଥିବା ବେଳେ ଏହା ମଧ୍ୟରେ କୌଣସି ଲୋକଙ୍କ ପ୍ରବେଶ ଉପରେ ନିଷେଦ୍ଧ ଜାରୀ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ଜିଲ୍ଲାର ମୋଟ ୨୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୧ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଥିବା ବେଳେ ବର୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଛି।