ଯୁବତୀ ଚାଲାଣ ବେଳେ ୧୭ ଉଦ୍ଧାର : ଦଲାଲ୍ ଗିରଫ

କୋରାପୁଟ/ଜୟପୁର,ଏନ୍ଏନ୍ଏସ୍ : ଦିନ ମଜୁରିଆ ଓ ଅନ୍ୟାନ୍ୟ ଅନୈତିକ କାର୍ଯ୍ୟରେ ନିୟୋଜିତ କରିବାକୁ ବେଆଇନ୍ ଭାବେ ଚାଲାଣ ହେଉଥିବା ୫ନାବାଳିକାଙ୍କ ସମେତ ୧୭ଜଣ ଯୁବତୀଙ୍କୁ ଜୟପୁର ଟାଉନ୍ ଥାନା ପୁଲିସ୍ ଉଦ୍ଧାର କରିଥିବାବେଳେ ଦଲାଲ୍ ସୁବାସ ହରିଜନକୁ ଗିରଫ କରି ଜେରା କରୁଛି । ଯୁବ ଆଇପିଏସ୍ ଅଧିକାରୀ ଜୟପୁର ଏସଡିପିଓ ବରୁଣ ଗୁଣ୍ଠପଲ୍ଲି ଗୁରୁବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି,ବୁଧବାର ରାତିରେ ନବରଙ୍ଗପୁର ଜିଲ୍ଲା ରାଇଘରରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଯାଉଥିବା ରାଜ୍ୟ ସଡ଼କ ପରିବହନ ନିଗମର ଏକ ବସ୍(ଓଡି୧୦-୯୭୧୪)ରେ ବେଆଇନ୍ ଯୁବତୀ ଚାଲାଣ ହେଉଥିବା ସୂଚନା ଜୟପୁର ଟାଉନ୍ ଥାନା ଅଧିକାରୀ ବାଲେଶ୍ୱର ଗିଦ୍ଧିଙ୍କୁ ମିଳିଥିଲା। ଖବର ପାଇ ଥାନା ଅଧିକାରୀ ମହିଳା ସବ-ଇନସପେକ୍ଟର ସୀମା ସଂଗୀତା ଲୁଗୁନଙ୍କୁ ବସ୍ ଯାଂଚ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବସଟି ଜୟପୁର ଟାଉନ୍ ଥାନା ନିକଟରେ ପହଂଚିବା ପରେ ଅଟକାଇ ଯାଂଚ କରିବା ବେଳକୁ ବସରୁ ୫ନାବାଳିକାଙ୍କ ସହ ୧୭ ଜଣ ଯୁବତୀ ଉଦ୍ଧାର ହୋଇଥିଲେ। ଯୁବତୀ ମାନଙ୍କୁ ନବରଂଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଦଶରାଭଟ୍ଟା ଗ୍ରାମର ସୁବାସ ହରିଜନ ନାମକ ଦଲାଲ୍ ଉକ୍ତ ବସରେ ବିଶାଖାପାଟଣା ନେଇ ଯାଉଥିବା ଜଣା ପଡ଼ିଥିଲା। ତେବେ ଉଦ୍ଧାର ଯୁବତୀ ମାନଙ୍କୁ ବିଶାଖାପାଟଣା,ଚେନ୍ନାଇ ଓ ଅନ୍ୟ କେତେକ ସ୍ଥାନରେ ଦିନ ମଜୁରିଆ ଓ ଆଉ କେତେକଙ୍କୁ ବିଭିନ୍ନ ଅନୈତିକ କାର୍ଯ୍ୟରେ ନିୟୋଜିତ କରିବାକୁ ଦଲାଲ୍ ଅଧିକ ରୋଜଗାରର ପ୍ରଲୋଭନ ଦେଖାଇ ନେଇଥିବା ପୁଲିସକୁ ସୂଚନା ମିଳିଛି । ଉଦ୍ଧାର ଯୁବତୀ ମାନଙ୍କ ସଠିକ୍ ଠିକଣା ମିଳି ନଥିଲେ ମଧ୍ୟ ସମସ୍ତେ ନବରଂଗପୁର ଜିଲ୍ଲାର ବୋଲି ପ୍ରାଥମିକ ସୂଚନା ମିଳିଥିବା ବେଳେ ଶିଶୁ ସୁରକ୍ଷା ବିଭାଗ ଓ ଶିଶୁ ମଂଗଳ କମିଟି ମାଧ୍ୟମରେ ସେମାନଙ୍କ ଠିକଣା ବାହାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଏସଡିପିଓ ଗଣମାଧ୍ୟମକୁ କହିଛନ୍ତି। ଜୟପୁର ଟାଉନ୍ ଥାନାରେ ଆୟୋଜିତ ସାମ୍ବାଦିକ ସମିଳନୀରେ ଥାନା ଅଧିକାରୀ ବାଲେଶ୍ୱର ଗିଦ୍ଧି,ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଶିବ ଶଙ୍କର ସାହୁ ଉପସ୍ଥିତ ଥିଲେ।