ବିପୁଳ ପରିମାଣର କଫ୍ ସିରପ ସହ ଜଣେ ଗିରଫ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ସଦର ଥାନା ପୁଲିସ ବେଆଇନ କଫ୍ ସିରପ କାରବାର ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ରାୟଗଡ଼ା ଜିଲ୍ଲା ଡଙ୍ଗାବାଡି ଗ୍ରାମର ବିବେକ ଓରଫ ନୀଳକଣ୍ଠ ବେହେରା। ଗିରଫ ବିବେକଠାରୁ ପୁଲିସ ୬୪୦ ବୋତଲ କଫ୍ ସିରପ, ୪୦ଟି ନିଶା ବଟିକା, ଗୋଟିଏ କାର, ଗୋଟିଏ ମୋବାଇଲ ଏବଂ ୧୫ଶହ ଟଙ୍କା ଜବତ କରିଛି।

ଭଟଲି ଅଞ୍ଚଳର ବରଗଡ଼କୁ ବେଆଇନ କଫ୍ ସିରପ ଚାଲଣା ନେଇ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ପୁଲିସ ଜଗି ରହିଥିବା ବେଳେ ଦେଓଗାଁ କେନାଲ ଛକରେ ଅଭିଯୁକ୍ତର କାର ଅଟକାଇ ଯାଞ୍ଚ କରିଥିଲା। ଉକ୍ତ କାରରୁ ପୁଲିସ ବିପୁଳ ପରିମାଣର ବେଆଇନ କଫ୍ ସିରପ ଜବତ କରିବା ସହ ବିବେକ ବେହେରାକୁ ଗିରଫ କରିଛି।

ଏଥିସହ ସଦର ଥାନା ପୁଲିସ କେସ ନମ୍ବର ୧୬୦ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ନେଇ ସଦର ଥାନା ଅଧିକାରୀ ଦିଲୀପ ବେହେରା ସୂଚନା ଦେଇଛନ୍ତି। ଗିରଫ ବିବେକ ନାମରେ ପୂର୍ବରୁ ବରଗଡ଼ ଟାଉନ ଥାନା, ଭେଡେନ ଏବଂ ପଟାଙ୍ଗୀ ଥାନାରେ ମାମଲା ରହିଥିବା ପୁଲିସ ସୂଚନା ଦେଇଛି।