ଚନ୍ଦାହାଣ୍ଡି,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ରେଞ୍ଜ ଅନ୍ତର୍ଗତ ମୋହରା ବିଟ ଜଙ୍ଗଲରେ ବିଦ୍ୟୁତ ତାର ବିଛାଇ ବାରହା ଶିକାର କରୁଥିବା ସମୟରେ ବନବିଭାଗ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ଫଟକୀ ପଞ୍ଚାୟତ ବକରାମୁଣ୍ଡି ଗ୍ରାମର ତିହାରୁ ମାଝୀ(୩୫)। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଝରିଗାଁ ରେଞ୍ଜର ମୁକୁନ୍ଦ ଦିଶାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଭିଯୁକ୍ତ ବିରୋଧରେ ବନବିଭାଗ ଆଇନ ଧାରା ୯ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଧାରା ୫୧ ଅନୁସାରେ କୋର୍ଟ ଚାଲାଣ କରିଥିବା ସୁଚନା ଦେଇଛନ୍ତି।
ଝରିଗାଁ ରେଞ୍ଜର ମୁକୁନ୍ଦ ଦିଶାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ତିହାରୁ ନୂଆପଡ଼ା ଜିଲ୍ଲାରୁ ଏଠାକୁ ଆସି ବେଆଇନ ଭାବରେ ଜଙ୍ଗଲ କାଟି ବକରାମୁଣ୍ଡିରେ ନିଜ ପରିବାର ସହ ରହିବା ସହିତ ମକାଚାଷ କରିଛି। ଏହା ସହିତ ବେଆଇନ ଭାବରେ ବିଦ୍ୟୁତ ତାର ବିଛାଇ ଜଙ୍ଗଲୀ ବାରହା ଶିକାର କରୁଥିଲା। ସୋମବାର ଦିନ ତିହାରୁ ମକାବାଡିରେ ବିଦ୍ୟୁତ ତାର ବିଛାଇ ଏକ ବାରହା ଶିକାର କରିଥିଲା। କୌଣସି ସୂତ୍ରରୁ ଚନ୍ଦାହାଣ୍ଡି ଫରେଷ୍ଟର ପ୍ରଦୀପ କୁମାର ଦାଶ, ପାରାଗାର୍ଡ ମହମ୍ମଦ ଫାରୁକ, ଡମ୍ଭରୁ ମାଝୀ ପ୍ରମୁଖ ଚଢ଼ଉ କରି ମୃତ ବାରହା ଏବଂ ବିଦ୍ୟୁତ ତାର ଜବତ କରିଥିଲେ। ଏଥି ସହ ଅଭିଯୁକ୍ତ ତିହାରୁକୁ ଗିରଫ କରି ଝରିଗାଁ ରେଞ୍ଜ ଅଫିସ ଆଣିଥିଲେ। ସେଠାରେ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।