ପିଓକେ ଦିନେ ଭାରତର ହେବ: ଜୟଶଙ୍କର

ନୂଆଦିଲ୍ଲୀ, ଏଜେନ୍ସି : ପାକ ଅଧିକୃତ କଶ୍ମୀର (ପିଓକେ) ଦିନେ ଭାରତର ହେବ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର। ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ୧୦୦ ଦିନର ଉପଲବ୍ôଧ ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଉଲ୍ଲେଖ କଲାବେଳେ କହିଛନ୍ତି, ପିଓକେ ଭାରତର ଏକ ଅଙ୍ଗ। ଏହାକୁ ଫେରାଇ ଆଣିବା ପାଇଁ ଭାରତ ଆଶା ରଖିଛି। ତେଣୁ ସରକାର କହିଛନ୍ତି, ଯଦି ପାକିସ୍ତାନ ସହ କୌଣସି ଆଲୋଚନା ହୁଏ, ତାହାହେଲେ କେବଳ ପିଓକେ ପ୍ରସଙ୍ଗରେ ହେବ। କିନ୍ତୁ କଶ୍ମୀର ପ୍ରସଙ୍ଗରେ ନୁହେଁ। ସେ କହିଛନ୍ତି, ଯେପର୍ଯ୍ୟନ୍ତ ଆମର ପଡ଼ୋଶୀ ଦେଶ ଆତଙ୍କବାଦକୁ ସାହାଯ୍ୟ ଓ ସମର୍ଥନ ଦେବା ବନ୍ଦ ନ କରିଛି, ସେପର୍ଯ୍ୟନ୍ତ ତା’ ସହ ଆଲୋଚନାର ପ୍ରଶ୍ନ ଉଠୁ ନାହିଁ। ଉଲ୍ଲେଖଯୋଗ୍ୟ, ଏବେ ନିକଟରେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ, ଏବେ ପାକିସ୍ତାନ ସହ କେବଳ ପିଓକେ ସମ୍ପର୍କରେ ଆଲୋଚନା ହେବ।

ସେ କହିଲେ, ଆମର ଏକ ପଡ଼ୋଶୀ ରାଷ୍ଟ୍ରରୁ ୟୁନିକ ଚାଲେଞ୍ଜ ଆସୁଛି। ପାକିସ୍ତାନର ନାମ ଉଲ୍ଲେଖ ନ କରି ସେ କହିଲେ, ଏହି ପଡ଼ୋଶୀ ରାଷ୍ଟ୍ର ଆତଙ୍କବାଦୀଙ୍କୁ ସମର୍ଥନ ଦେଇ ଚାଲିଛି। ମାତ୍ର ତା’ର ଏହି ନୀତି ବଦଳୁ ନାହିଁ। ପାକିସ୍ତାନ ଖୋଲାଖୋଲି ନିଜ ଦେଶରେ ପଡ଼ୋଶୀ ରାଷ୍ଟ୍ର ବିରୋଧରେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଯୋଗାଇ ଆସୁଛି। ଗତ ୧୦୦ ଦିନ ମଧ୍ୟରେ ବୈଦେଶିକ ମନ୍ତ୍ରଣାଳୟର କାର୍ଯ୍ୟ ସମ୍ପର୍କରେ ଜୟଶଙ୍କର କହିଛନ୍ତି, ସୀମା ପାର ସନ୍ତ୍ରାସବାଦ, ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାରତ ବିଶ୍ୱସ୍ତରରେ ସଫଳତାର ସହ ତା’ର ମତ ଉପସ୍ଥାପନ କରି ଯଥେଷ୍ଟ ସମର୍ଥନ ହାସଲ କରିଛି। ଜି-୨୦, ବ୍ରିକ୍ସ ଭଳି ଅନ୍ତର୍ଜାତୀୟ ମଞ୍ଚରେ ଭାରତର ପ୍ରଭାବୀ ମତ ବିଭିନ୍ନ ରାଷ୍ଟ୍ରକୁ ପ୍ରଭାବିତ କରିଛି।

୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗରେ ପାକିସ୍ତାନର ହସ୍ତକ୍ଷେପ ସମ୍ପର୍କରେ ତାଙ୍କୁ ପ୍ରଶ୍ନ ହେବାରୁ ଜୟଶଙ୍କର କହିଛନ୍ତି, ଏଥିପାଇଁ ବିବ୍ରତ ହେବାର କୌଣସି କାରଣ ନାହିଁ। ଏହି ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଭାରତ ଠିକଣା ପଦକ୍ଷେପ ନେଇଛି ଏବଂ ତାହା ବଜାୟ ରହିବ। କୁଲଭୂଷଣ ଯାଦବଙ୍କ ସମ୍ପର୍କରେ ପ୍ରଶ୍ନ ହେବାରୁ ଜୟଶଙ୍କର କହିଛନ୍ତି, ଆମର ଉଦ୍ଦେଶ୍ୟ ଥିଲା, କୁଲଭୂଷଣ ପାକିସ୍ତାନରେ କିପରି ଅଛନ୍ତି, ତାହା ଜାଣିବା। ଆମେ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଦେଶକୁ ଫେରାଇ ଆଣିବାକୁ ଉଦ୍ୟମ କରୁଛୁ।