ମହାରାଷ୍ଟ୍ରରେ ପୁଣି ୬ ଓମିକ୍ରନ୍‌ ପଜିଟିଭ୍‌ ଚିହ୍ନଟ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୫୧କୁ ବୃଦ୍ଧି

ମୁମ୍ବାଇ/ନୂଆଦିଲ୍ଲୀ,ଏଜେନ୍ସି: ମହାରାଷ୍ଟ୍ରରେ କରୋନା ଭାଇରସ୍‌ ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ରେ ପୁଣି ୬ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ଏଥି ସହିତ ଦେଶରେ ମୋଟ୍‌ ଓମିକ୍ରନ୍‌ ପଜିଟିଭ୍‌ ସଂଖ୍ୟା ୧୫୧କୁ ବୃଦ୍ଧି ପାଇଛି। କିନ୍ତୁ ମହାରାଷ୍ଟ୍ରରେ ସର୍ବାଧିକ ଓମିକ୍ରନ୍‌ ଚିହ୍ନଟ ହୋଇଛନ୍ତି। ଏହି ୬ ଜଣଙ୍କ ସହିତ ଦେଶରେ ଓମିକ୍ରନ୍‌ ପଜିଟିଭଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି।

ଦିଲ୍ଲୀରେ ରବିବାର ପୁଣି ଥରେ କରୋନା ଗ୍ରାଫ ଉପରକୁ ଉଠିଛି। ରାଷ୍ଟ୍ରୀୟ ରାଜଧାନୀରେ ରବିବାର ୧୦୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ଜୁନ ୨୫ ତାରିଖରେ ଦିଲ୍ଲୀରେ ଗୋଟିଏ ଦିନରେ ୧୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଦିଲ୍ଲୀରେ ଓମିକ୍ରନ୍‌ ପଜିଟିଭ ସଂଖ୍ୟା ୨୨ରେ ପହଞ୍ଚିଛି।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୯୦୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୭୬୨ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁସାରେ ଏବେ ରାଜ୍ୟରେ ମୋଟ ସକ୍ରିୟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୭,୦୬୮କୁ ବୃଦ୍ଧି ପାଇଛି। ଦେଶରେ ଗୋଟିଏ ଦିନରେ ୭୦୮୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ କେରଳରେ ସର୍ବାଧିକ ୩୨୯୭ ଅଛନ୍ତି। କେରଳରେ ଦିନକରେ ୨୬୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୭ ହଜାର ୪୨୨ରେ ପହଞ୍ଚିଛି।