ଜୁନ୍ ପହିଲାରୁ ଧାର୍ମିକସ୍ଥଳୀ ଖୋଲିବାକୁ ପିଏମଙ୍କୁ ପତ୍ର ଲେଖିଲେ କର୍ଣ୍ଣାଟକ ସିଏମ୍

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ସମଗ୍ର ଦେଶ ଦୁଇ ମାସ ହେବ ଲକଡାଉନ ରହିଛି। ଇତିମଧ୍ୟରେ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ମେ’ ୩୧ରେ ଶେଷ ହେବାକୁ ଥିବାବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ ସେ ଜୁନ୍ ୧ରୁ ଧାର୍ମିକସ୍ଥଳୀ ଖୋଲିବାକୁ ପରାମର୍ଶ ଦେବା ସମ୍ପର୍କରେ ଲେଖିଛନ୍ତି।

ମୁଖ୍ୟମନ୍ତ୍ରୀ ୟେଦୁରପ୍ପା କହିଛନ୍ତି କି, ଲକଡାଉନ ନିୟମରେ କିଛି ପରିବର୍ତ୍ତନ କରିବାକୁ ହେଲେ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିଥାଏ। ସେଥିଲାଗି ଜୁନ୍ ୧ରୁ ଧାର୍ମିକସ୍ଥଳୀ ଖୋଲିବାକୁ ହେଲେ କେନ୍ଦ୍ର ସରକାରଙ୍କ ଅନୁମତି ପାଇଁ ରାଜ୍ୟକୁ ଅପେକ୍ଷା କରିବାକୁ ପଡ଼ିବ।

ଦେଶରେ ମାର୍ଚ୍ଚ ୨୫ରୁ ଲକଡାଉନ ଜାରି ଥିବାବେଳେ ଧାର୍ମିକସ୍ଥଳୀ ମଧ୍ୟ ବନ୍ଦ ରହିଛି। ମନ୍ଦିର, ମସଜିଦରେ ଭକ୍ତଙ୍କ ସମାଗମ ଓ ସାମାଜିକ ଦୂରତ୍ୱକୁ ବଜାୟ ରଖିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏବେସୁଦ୍ଧା ବସ, ଟ୍ରେନ ଓ ବିମାନବନ୍ଦର ଖୋଲିବାର ଅନୁମତି ମିଳିଥିବା ବେଳେ ସିନେମା ହଲ, ସପିଂ ମଲ୍ ଓ ଧାର୍ମିକସ୍ଥଳୀ ଖୋଲା ଯାଇନାହିଁ।