୫୭ ବର୍ଷୀୟ ଅଲମ୍ପିକ ବିଜେତା ଅବଦୁଲ୍ଲା

  • ଟୋକିଓ: ଯେଉଁ ବୟସରେ ଜଣେ କ୍ରୀଡ଼ାବିତ୍ ଅବସର ନେଇ ଜୀବନର ପରବର୍ତ୍ତୀ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବା କଥା ସେହି ବୟସରେ ଅଲିମ୍ପିକ୍ ପଦକ ଜିତି ଅନ୍ୟମାନଙ୍କ ଉଦାହରଣ ସୃଷ୍ଟି କରିଛନ୍ତି କୁଏତର ଅବଦୁଲ୍ଲା ଅଲରଶିଦି। ସେ ଟୋକିଓ ଅଲିମ୍ପିକ୍ସରେ ଶୁଟିଂରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ପଦକ ଜିତି ସେ ସାରା ଦୁନିଆକୁ ଦେଖାଇ ଦେଇଛନ୍ତି ଯେ ବୟସ କେବଳ ଏକ ସଂଖ୍ୟା ଛଡ଼ା ଆଉ କିଛି ନୁହେଁ।
    ୭ ଥର ଅଲିମ୍ପିଆନ୍ ଅବଦୁଲ୍ଲା ସୋମବାର ପୁରୁଷ ସ୍କିଟ୍ ଇଭେଣ୍ଟରେ ପଦକ ଜିତିଛନ୍ତି। କେବଳ ଏତିକି ନୁହେଁ, ସେ ୨୦୨୪ରେ ପ୍ୟାରିସ୍ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି। ୨୦୨୪ ଅଲିମ୍ପିକ୍ସ ବେଳକୁ ତାଙ୍କର ବୟସ ୬୦ ଅତିକ୍ରମ କରିସାରିଥିବ।
    ଟୋକିଓର ଅସାଫା ଶୁଟିଂ ରେଞ୍ଜରେ ବ୍ରୋଞ୍ଜ ପଦକ ଜିତିବା ପରେ ସେ କହିଛନ୍ତି, ମୁଁ ଏବେ ୫୭ ବର୍ଷର। ସବୁଠାରୁ ବୟୋଜ୍ୟେଷ୍ଠ ଶୁଟ୍ ଏବଂ ଏହି ବ୍ରୋଞ୍ଜ ମୋ ପାଇଁ କୌଣସି ସ୍ୱର୍ଣ୍ଣ ପଦକଠାରୁ କମ୍ ନୁହେଁ। ମୁଁ ଏହି ପଦକ ଜିତି ବହୁତ ଖୁସି, କିନ୍ତୁ ପରବର୍ତ୍ତୀ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ନେଇ ଆଶାବାଦୀ ଅଛି।