‘ଓଲି’ ସର୍ବଭାରତୀୟ ପୁଲିସ ହକି ମାସ୍କଟ୍

କଟକ,ଏନ୍ଏନ୍ଏସ୍: ଓଡ଼ିଶା ପୁଲିସ ବିଭାଗ ଆନୁକୂଲ୍ୟରେ ଚଳିତ ବର୍ଷ ଭୁବନେଶ୍ୱରଠାରେ ୬୮ତମ ସର୍ବଭାରତୀୟ ହକି ପ୍ରତିଯୋଗିତା-୨୦୧୯ ଆୟୋଜନ କରାଯାଉଛି। ଏହି ପ୍ରତିଯୋଗିତା ଆସନ୍ତା ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ। ପ୍ରତିଯୋଗିତାର ଉଦଘାଟନ କାର୍ଯ୍ୟକ୍ରମ ସପ୍ତମ ବାଟାଲିୟନ ପରିସରରେ ଅନୁଷ୍ଠିତ ହେବ। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଥିବା ବେଳେ ଉଦଯାପନୀ ଉତ୍ସବ୨୪ ତାରିଖ ଅପରାହ୍ଣରେ ଭୁବନେଶ୍ୱରସ୍ଥଇତ ସପ୍ତମ ଓଏସଏପି ବାଟାଲିୟନଠାରେ ଅନୁଷ୍ଠିତ ହେବ।

ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେବେ। ଓଡ଼ିଶାର ବିରଳ କଇଁଛଙ୍କ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ପାଇଁ ପୂର୍ବରୁ ଅନ୍ତର୍ଜାତୀୟ ହକି ମ୍ୟାଚରେ ମାସ୍କଟ୍ ରହିସାରିଥିବା ‘ଓଲି’କୁ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟର ମାସ୍କଟ୍ ରଖାଯାଇଛି। ଏହି ଅବସରରେ ମାସ୍କଟ୍ ଓ ଲୋଗୋର ଉନ୍ମୋଚନ ହୋଇଥିଲା। ଏହି ସର୍ବଭାରତୀୟ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ ବଳରୁ ଅନ୍ୟୂନ ୨୫ଟି ଦଳ ଏବଂ ପ୍ରାୟ ୫ ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ସେହିପରି ୨ ଶହ କ୍ରୀଡ଼ା ପ୍ରଶାସକ ଓ ପ୍ରଶିକ୍ଷକ ମଧ୍ୟ ସାମିଲ ହେବେ।

ପ୍ରତିଯୋଗିତା ଲିଗ୍ ତଥା ନକଆଉଟ୍ ଭିତ୍ତିରେ ଖେଳାଯିବ। ସର୍ବଭାରତୀୟ ପୁଲିସ କଣ୍ଟ୍ରୋଲ ବୋର୍ଡର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତା ଓଡିଶା ପୁଲିସ ଦ୍ୱାରା ଆୟୋଜନ କରାଯାଉଛି ଏବଂ ଏହାର ସଫଳ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗର ସହାୟତା ନିଆଯାଇଛି। ରାଜ୍ୟ ସରକାରଙ୍କ ସ୍ୱୀକୃତିପ୍ରାପ୍ତ କ୍ରୀଡା ମାସ୍କଟ ‘ଓଲି’କୁ ଏହି ପ୍ରତିଯୋଗିତାର ମାସ୍କଟ୍ ଭାବେ ଗ୍ରହଣ କରାଯାଇଛି। ଓଲି ହେଉଛି ଓଡିଶାର ବିରଳ ଅଲିଭ୍ ରିଡଲେ କଇଁଛ। ଏହି ସର୍ବଭାରତୀୟ ପ୍ରତିଯୋଗିତାର ସଫଳ ପରିଚାଳନା ପାଇଁ ବରିଷ୍ଠ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କମିଟିମାନ ଗଠନ କରାଯାଇଛି।

ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ପ୍ରତିଯୋଗିତା ପରିଚାଳନା କମିଟିର ଅଧ୍ୟକ୍ଷ ଅଛନ୍ତି। ପୁଲିସ କମିଶନର ସୁଧାଶୁଂ ଷଡଙ୍ଗୀ ଓ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର କମିଟିର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଆଇଜି (ଅପରେସନ୍) ଅମିତାଭ ଠାକୁର ପ୍ରତିଯୋଗିତାର ପରିଚାଳନା ସମ୍ପାଦକ ଭାବେ ଦାୟିତ୍ୱରେ ରହିଛନ୍ତି।

ପ୍ରତିଯୋଗିତାର ସୁପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ ହୋଇଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନଶୃଙ୍ଖଳା) ଆର.ପି. କୋଚେ, ଆଇଜି (ପର୍ସନେଲ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି (ଆଧୁନୀକିକରଣ) ରେଖା ଲୋହାନୀ, ଡିଆଇଜି ଜେ.ଏନ୍.ପଙ୍କଜ, ଅନିରୁଦ୍ଧ ସିଂହ ଓ ଭୁବନେଶ୍ୱର ଡିସିପି ଅନୁପ ସାହୁ ବିଭିନ୍ନ କମିଟି ଦାୟିତ୍ୱରେ ଅଛନ୍ତି। ପ୍ରତିଯୋଗିତା ପରିଚାଳନା ପାଇଁ ଭୁବନେଶ୍ୱରସ୍ଥିତ ଏସଏପି ମୁଖ୍ୟ କାର୍ଯ୍ୟାଳୟଠାରେ ଏକ ୨୪ଘଣ୍ଟିଆ ସ୍ୱତନ୍ତ୍ର ସେଲ୍ ରବିବାରଠାରୁ କାର୍ଯ୍ୟ।।ରମ୍ଭ କରିଛି। ପ୍ରତିଯୋଗିତାର କ୍ୱାର୍ଟର ଓ ସେମିଫାଇନାଲ ଆସନ୍ତା ୨୧ତାରିଖଠାରୁ ଖେଳାଯିବ ଓ ଫାଇନାଲ ମ୍ୟାଚ ଆସନ୍ତା ୨୪ ତାରିଖରେ ଖେଳାଯିବ।