ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେଲେ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି

ନୂଆଦିଲ୍ଲୀ,ଏଜେନ୍ସି: ଆଜି ସ୍ବାଧୀନତା ଦିବସ ଅବସରରେ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥା ହୋଇଛନ୍ତି। ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ଉଭୟ କଥାବାର୍ତ୍ତା ହୋଇଥିବା ଜଣାପଡିଛି। ଭାରତ ଓ ନେପାଳ ମଧ୍ୟରେ ତିକ୍ତତା ଦେଖାଯିବା ପରେ ପ୍ରଥମ ଥର ପାଇଁ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି।

ଏହି କଥାବାର୍ତ୍ତା ସମୟରେ କରୋନା ମହାମାରୀ ପ୍ରଭାବକୁ ଯଥା ସମ୍ଭବ ହ୍ରାସ କରିବା ଲାଗି ଚାଲିଥିବା ଉଦ୍ୟମରେ ଦୁଇ ନେତା ପାରସ୍ପରିକ ସହଯୋଗ କଥା ହୋଇଛନ୍ତି। ଏଥିରେ ନରେନ୍ଦ୍ର ମୋଦୀ ମଧ୍ୟ ସହମତି ପ୍ରକାଶ କରିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଏଥି ସହିତ ଓଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ, ଭାରତ ସରକାର ଓ ଭାରତବାସୀଙ୍କୁ ୭୪ତମ ସ୍ବାଧୀନତା ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ସୂଚନା ଅନୁସାରେ ଉତ୍ତରଖଣ୍ଡର କିଛି ଅଞ୍ଚଳକୁ ନିଜର ବୋଲି ଦର୍ଶାଇ ନେପାଳ ଜାରି କରିଥିବା ରାଜନୈତିକ ମାନଚିତ୍ର ଯୋଗୁଁ ଭାରତ-ନେପାଳ ସମ୍ପର୍କରେ ତିକ୍ତତା ଆରମ୍ଭ ହୋଇଥିଲା।