ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଲମଟିବାହାଲ ଗୁଆଲାପଡାର ଚାରୁ ବେସନ(୭୫) ନିଖୋଜ ହେବାର ୫୫ ବର୍ଷ ପରେ ପଶ୍ଚିମବଙ୍ଗରୁ ଠାବ ହୋଇଛନ୍ତି। ଚାରୁଙ୍କୁ ଆଣିବା ପାଇଁ ତାଙ୍କ ଭାଇ ଗତକାଲି ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ମାତ୍ର ୨୦ ବର୍ଷ ବୟସ ହେଉଥିବା ସମୟରେ ସେ ନିଖୋଜ ହୋଇଥିଲେ। ତାଙ୍କୁ ପରିବାର ଲୋକେ ବହୁ ଖୋଜାଖୋଜି କଲାପରେ ମଧ୍ୟ ସେ ମିଳି ନଥିଲେ।
ହେଲେ ୪ ମାସ ତଳେ ସେ ପଶ୍ଚିମବଙ୍ଗଳର ସୋଦପୁର ରେଳଷ୍ଟେସନରେ ଥିବା ବେଳେ ପଶ୍ଚିମ ବଙ୍ଗର ହମ ରେଡିଓ କ୍ଲବ କର୍ମକର୍ତ୍ତା ମାନେ ରେଳଷ୍ଟେସନରେ ଆଶ୍ରୟ ନେଉଥିବା ଅଲୋଡା ମଣିଷଙ୍କୁ ମଶାରୀ ଓ ରେଡିଓ ବଂଟନ କରୁଥିଲେ। ସେମାନେ ଚାରୁଙ୍କୁ ବେଂଚରେ ବସିଥିବା ଦେଖି ପରିଚୟ ପଚରିଥିଲେ। ଓଡିଶାର ଏକ ପେପରମିଲ ନିକଟରେ ଥିବା ରେଳବାଇ ଷ୍ଟେସନ ନିକଟରେ ତାଙ୍କ ଘର ଥିଲା ବୋଲି ସେମାନଙ୍କୁ ଚାରୁ କହିଥିଲେ। ଏହା ଶୁଣିବା ପରେ କ୍ଲବର କର୍ମକର୍ତ୍ତା ଜଣେ ରେଡିଓ କଳାକାର ଦୁଷ୍ମନ୍ତ ଦାସଙ୍କୁ ଯୋଗାଯୋଗ କରି ବୃଦ୍ଧ ଘର ଠିକଣା ଠାବ କରିବାକୁ କହିଥିଲେ।
ଏହା ପରେ ଦୁଷ୍ମନ୍ତଙ୍କ ଉଦ୍ୟମରେ ପ୍ରାୟ ୪ ମାସ ପରେ ଚାରୁ ବ୍ରଜରାଜନଗର ବାସିନ୍ଦା ବୋଲି ଜଣା ପଡିଥିଲା। ଏ ଖବର ଜଣାପଡିବା ପରେ ଡବ୍ଲୁବିଆରସିର ସଦସ୍ୟ ମାନେ ଝାରସୁଗୁଡା ଏସପିଙ୍କୁ ସୁଚନା ଦେଇଥିଲେ। ଏସପି ଚାରୁଙ୍କ ଘର ଠାବ କରାଇବା ସହ ଚାରୁ ବଂଚିଥିବାର ସୂଚନା ପରିବାର ବର୍ଗଙ୍କୁ ଦେଇଥିଲେ। ଗତକାଲି ବଡ ଭାଇକୁ ୫୫ ବର୍ଷ ପରେ ଘରକୁ ଆଣିବା ପାଇଁ ତାଙ୍କ ସାନ ତାଙ୍କ ଭାଇ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଦୀର୍ଘ ବର୍ଷ ପରେ ଚାରୁ ବଂଚି ଥିବା ଓ ଘରକୁ ଆସୁଥିବା ଜାଣି ପରିବାର ବର୍ଗ ବେଶ ଖୁସି ଅଛନ୍ତି।