ବୁଢୀମା’ଙ୍କୁ ଆହାର କେନ୍ଦ୍ରରେ ଛାଡିଦେଇ ପୁଅବୋହୂ ଫେରାର

ଭଦ୍ରକ,ଏନ୍ଏନ୍ଏସ୍: ମଂଗଳବାର ଆହାର କେନ୍ଦ୍ରରେ ମା’କୁ ଛାଡିଦେଇ ପୁଅ-ବୋହୂ କେଉଁଆଡେ ଚାଲିଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ସକାଳୁ ସନ୍ଧ୍ୟାଯାଏ କାନ୍ଦି କାନ୍ଦି ସେଠାରେ ବସିବା ପରେ ଶେଷରେ ସ୍ଥାନୀୟ ଲୋକେ ବୃଦ୍ଧା ଜଣକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଛନ୍ତି।

ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲିରେ। ବୃଦ୍ଧାଙ୍କ ନାମ କୁନ୍ତଳା ପୋଥାଳ। ଆଖିକୁ ଭଲଭାବେ ଦେଖାଯାଉନାହିଁ କି କାନକୁ ଭଲଭାବେ ଶୁଭୁନାହିଁ। ସେ ଠିକ୍ରେ ମଧ୍ୟ ଚାଲିପାରୁନାହାଁନ୍ତି। ଛଳଛଳ ଆଖି ଓ କୋହଭରା କଣ୍ଠରେ ସେ ଯାହା କହିଥିଲେ, ତାହା ଏହିଭଳି। ତାଙ୍କର ପ୍ରକୃତ ଘର ଚାନ୍ଦବାଲି ଥାନା ମହୁଲିଆ ଗ୍ରାମରେ। ବହୁବର୍ଷ ତଳେ ସବୁ ଜମିବାଡି ବିକ୍ରି କରି ସେମାନେ କେନ୍ଦ୍ରାପଡା ପଳାଇ ଯାଇଥିଲେ। ସେଠାରେ ସେ ପୁଅ-ବୋହୂଙ୍କ ସହ ରହୁଥିଲେ। ରହଣି ସମୟରେ ପୁଅ-ବୋହୂ ତାଙ୍କୁ ମାଡ ମାରୁଥିବାର ସଂଗୀନ ଅଭିଯୋଗ କରିଛନ୍ତି ବୃଦ୍ଧା ଜଣକ।

ତେବେ ଗତକାଲି ସକାଳେ ପୁଅ-ବୋହୂ ତାଙ୍କୁ ଘରୁ ଆଣି ଆହାର କେନ୍ଦ୍ରରେ ବସାଇ ଦେଇଥିଲେ। ଆଉ ଏଠାରେ ହିଁ ସେ ରହିବା କଥା କହି ସେ ସ୍ଥାନ ଛାଡି ପଳାଇଯାଇଥିଲେ। ଦିନ ତମାମ ବୃଦ୍ଧା ଜଣକ ବାରଣ୍ଡାରେ ବସିବା ପରେ ରାତିରେ କିଛି ସ୍ଥାନୀୟ ଲୋକ ବୃଦ୍ଧାଙ୍କୁ ତାଙ୍କ ଠିକଣା ପଚାରିଥିଲେ। ତେବେ ବୃଦ୍ଧା ଜଣକ ଠିକ୍ରେ କିଛି ନକହିବାରୁ ସ୍ଥାନୀୟ ଲୋକେ ତହସିଲଦାର ଓ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ଦେବା ପରେ ସେମାନେ ପହଂଚି ବୃଦ୍ଧାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରିଥିବାର ଜଣାପଡିଛି।