ପୁଅ-ବୋହୂଙ୍କ ନିର୍ଯାତନା ସହିନପାରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବୃଦ୍ଧ

ମାଲକାନଗିରି,ଏନ୍ଏନ୍ଏସ୍: ପୁଅ-ବୋହୂଙ୍କ ନିର୍ଯାତନା ସହି ନପାରି ମାଲକାନଗିରି ଜିଲ୍ଲାର ଜଣେ ୭୦ ବର୍ଷୀୟ ବୃଦ୍ଧ ଏସପି ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସମ୍ପତ୍ତି ଉପରେ ଲୋଭ କରି ପୁଅ-ବୋହୂ ଏଭଳି କରୁଥିବା ଏସପି ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ମାଲକାନଗିରି ଜିଲ୍ଲା ଏମ୍ଭି୧୧ ଗ୍ରାମର ନବକୃଷ୍ଣ ପାଲ। ନବକୃଷ୍ଣ ବିଏସଏନଏଲ ଜଣେ ଅବସରପ୍ରାପ୍ତ କର୍ମଚାରୀ। ତାଙ୍କ ପତ୍ନୀ ଅନାରାଣୀ ହାଲଦାର ମଧ୍ୟ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ।

ତେବେ ତାଙ୍କର ଅବସର ପରେ ତାଙ୍କୁ ମିଳିଥିବା ଅର୍ଥ ଓ ପେନସନକୁ ପୁଅ ଜୀବନ କୁମାର ପାଲ ଓ ବୋହୂ ସମା ପାଲ ମାଗୁଥିଲେ ଏବଂ ଉକ୍ତ ଅର୍ଥ ଶ୍ରୀ ନବକୃଷ୍ଣ ନଦେବାରୁ ପୁଅ-ବୋହୂ ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି। ଏଥିସହ ତାଙ୍କର ସ୍ୱଅର୍ଜିତ ସମ୍ପତ୍ତି ମଧ୍ୟ ମାଗିଥିଲେ ଏବଂ ଉକ୍ତ ସମ୍ପତ୍ତି ନ ଦେବାରୁ ଘରୁ ମାଡ଼ ଗାଳି ଦେଇ ତଡ଼ି ଦେଇଥିବା ଅଭିଯୋଗ କରିଛନ୍ତି।

କିଛି ଦିନ ପୂର୍ବେ ପୁଅ-ବୋହୂଙ୍କ ନିର୍ଯାତନା ସହି ନପାରି ବୃଦ୍ଧ ଏବଂ ତାଙ୍କ ପତ୍ନୀ ଛତିଶଗଡ଼ ଜଗଦଲପୁରରେ ବନ୍ଧୁ ବିମଳ ଦାସଙ୍କ ଭଡ଼ା ଘରେ ଆଶ୍ରୟ ନେଇଥିଲେ। ସେଠାକୁ ମଧ୍ୟ ପୁଅ ଆସି ଗଣ୍ଡଗୋଳ କରିଥିବା ନବକୃଷ୍ଣ ଅଭିଯୋଗ କରିଛନ୍ତି। ଏମଭି ୧୧ ଗ୍ରାମରେ ନବକୃଷ୍ଣଙ୍କ ନାମରେ ଥିବା ଘର ବୋହୂ ନାମରେ ରେଜେଷ୍ଟ୍ରି କରିବା ପାଇଁ ପୁଅ ବାଧ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି।

ତାଙ୍କ ଜୀବନ ପ୍ରତି ବିପଦ ଥିବା ଜାଣି ସେଠାକାର ସତସଙ୍ଗ ମନ୍ଦିରରେ ଆଶ୍ରୟ ନେଇଥିଲେ। ତାଙ୍କ ପୁଅ ତାଙ୍କୁ ହତ୍ୟା କରୁଥିବା ଷଡ଼ଯନ୍ତ୍ର କରୁଥିବା ନେଇ ଗତ ୨୦୧୭ ମସିହାରେ ଜଗଦଲପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଆଉ ଗଣ୍ଡଗୋଳ କରିବେ ନାହିଁ ବୋଲି ପୁଅ ଓ ବୋହୂ ଏକ ରାଜିନାମା ପତ୍ରରେ ସ୍ୱାକ୍ଷର କରିଥିଲେ। ପରବର୍ତ୍ତୀ ସମୟରେ ନିଜ ଗ୍ରାମ ଏମଭି୧୧କୁ ଆସିଲା ପରେ ବର୍ତ୍ତମାନ ମଧ୍ୟ ପୁନଃର୍ବାର ଘର ଦେବାପାଇଁ ଧମକ ଦିଆଯାଉଛି।

ତେଣୁ ଏ ସମ୍ବନ୍ଧରେ ତାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ପାଇଁ ନବକୃଷ୍ଣ ଲିଖିତ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।