ଝାରସୁଗୁଡ଼ା/କିର୍ମିରା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବାଗଡିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କିର୍ମିରା ବ୍ଲକ୍ ଭୀମଯୋର ପଞ୍ଚାୟତ ଭଉଁରା ଗ୍ରାମର ସିଙ୍ଘିପଡ଼ାରେ ଗତକାଲି ରାତ୍ରିରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ଉକ୍ତ ଗ୍ରାମର ବୃଦ୍ଧା ଜମୁନା ବେହେରା(୭୦)।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରିରେ ଖାଦ୍ୟ ଅନ୍ୱେଷଣରେ ଭଉଁରା ଗ୍ରାମକୁ ୨ଟି ହାତୀ ପଶିଆସି ବୃଦ୍ଧାଙ୍କ ଘର କାନ୍ଥକୁ ଭାଙ୍ଗି ଦେଇଥିଲେ। ଫଳରେ ବୃଦ୍ଧା ଜଣଙ୍କ କାନ୍ଥ ତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି। ଏନେଇ ଗ୍ରାମବାସୀମାନେ ବନ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ। ପରେ ବନ ବିଭାଗ କର୍ମଚାରୀମାନେ ଆସି ଗ୍ରାମବାସୀଙ୍କ ସହାୟତାରେ ହାତୀମାନଙ୍କୁ ଜଙ୍ଗଲକୁ ଘଉଡାଇଥିଲେ।
ରେଞ୍ଜର ବ୍ରଜମୋହନ ପଟ୍ଟନାୟକ, ଫରେଷ୍ଟର ଆଶା ରାଣୀ ବେହେରା, ଗିରୀଶ ଦୋରା, ବିଶିନାଥ ପ୍ରଧାନ ଓ ବାଗଡିହି ଥାନା ଅଧିକାରୀ ସରୋଜ ନାଏକ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ପ୍ରକାଶ ଯୋଗ୍ୟ ଯେ, ମୃତ ମହିଳାଙ୍କୁ ସରକାରୀ ଯୋଜନାରେ ପକ୍କା ଘର ମିଳିଥିବା ବେଳେ ତାଙ୍କ ସାବତ ପୁଅ ଉକ୍ତ ଘରକୁ ଅକ୍ତିଆର କରିଥିଲେ। ଫଳରେ ବୃଦ୍ଧା ଜଣଙ୍କ ଏକ ମାଟି କୁଡିଆରେ ରହୁଥିବା ଗ୍ରାମବାସୀମାନେ କହିଛନ୍ତି।