ଭୁଲ୍ ଔଷଧ ଯୋଗୁଁ ଶିଶୁ ଆଖି ହରାଇବା ଘଟଣା: ଓଏଚଆରସିଙ୍କ ଦ୍ୱାରସ୍ଥ ହେଲେ ପିତା-ମାତା, ନଭେମ୍ବର ୧୪ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତରଙ୍କ ଦ୍ୱାରା ଭୁୁଲ୍ ଔଷଧ ଦିଆଯାଇଥିବା ଯୋଗୁଁ ଜଣେ ଶିଶୁର ଆଖି ନଷ୍ଟ ହୋଇଯାଇଥିବା ଘଟଣାକୁ ନେଇ ଓଡ଼ିଶା ରାଜ୍ୟ ମାନବାଧିକାର କମିଶନ(ଓଏଚ୍ଆରସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତାଙ୍କ ପିତା-ମାତା। ନୟାଗଡ଼ ଜିଲ୍ଲା ନଚିପୁର ଗ୍ରାମର ଛ’ ବର୍ଷୀୟା ଶିଶୁ ରିଙ୍କି ଗୋଚ୍ଛାୟତଙ୍କ ପିତା ଚନ୍ଦ୍ରକାନ୍ତ ଗୋଚ୍ଛାୟକ ଓ ମାତା ବିଜୟିନୀ ଗୋଚ୍ଛାୟତ ଓଏଚ୍ଆର୍ସିରେ ଏନେଇ ଏକ ପିଟିସନ ଦାଖଲ କରିଛନ୍ତି। ସମ୍ପୃକ୍ତ ଡାକ୍ତର, ଫାର୍ମାସିଷ୍ଟ ଓ ନୟାଗଡ଼ ସିଡିଏମ୍ଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ପିଟିସନ ମାଧ୍ୟମରେ ଓଏଚ୍ଆର୍ସିଙ୍କୁ ଆବେଦନ କରାଯାଇଛି।

ସୂଚନାଯୋଗ୍ୟ, ଚନ୍ଦ୍ରକାନ୍ତ ନାବାଳିକା ଝିଅ ରିଙ୍କିର ଡାହାଣ ଆଖିରେ ଛୋଟ ଆଘାତ ଲାଗିଥିବା କାରଣରୁ ପ୍ରଥମେ ଦଶପଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରରେ କୌଣସି ଚକ୍ଷୁ ବିଶେଷଜ୍ଞ ନଥିବାରୁ ସେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଝିଅକୁ ନେଇ ଯାଇଥିଲେ। ନୟାଗଡ଼ ଚିକିତ୍ସାଳୟର ଜଣେ ଡାକ୍ତର ସ୍ଥାନୀୟ ନିରାମୟ ମେଡିସିନ୍ ଷ୍ଟୋରରୁ ଏକ ଔଷଧ(କ୍ଲୋଟ୍ରିମାଜୋଲ୍ ଆଣ୍ଡ୍ ଲିଗ୍ନୋସାଇନ୍ ଇୟର ଡ୍ରପ୍) ଆଣି ୩-୫ବୁନ୍ଦା ଲେଖାଏଁ ଦୈନିକ ଦୁଇ ଥର ପକାଇବାକୁ କହିଥିଲେ।

ଏହି ମେଡିସିନ ପକାଇବା ପରେ ଝିଅଟି ଧୀରଧୀରେ ଦୃଷ୍ଟିଶକ୍ତି ହରାଇବାକୁ ଲାଗିଥିଲା। ପରବର୍ତ୍ତୀ ସମୟରେ ଏକ ଘରୋଇ ଡାକ୍ତରଖାନାରେ ନଷ୍ଟ ହୋଇଯାଇଥିବା ଆଖିକୁ ହଟାଇ ଏକ କୃତ୍ରିମ ଚକ୍ଷୁରୋପଣ କରାଯାଇଛି। ନାବାଳିକାଙ୍କ ପିତା ଚନ୍ଦ୍ରକାନ୍ତ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଏହି ଘଟଣାକୁ ନେଇ ସେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍ଓ) ଶ୍ୱେତା ମହାପାତ୍ରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ୧୫ହଜାର ଟଙ୍କା କ୍ଷତିପୂରଣ ଦେଇ ସେ ଅନ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି।

ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ମାନବାଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ ବିମଳ ପ୍ରସାଦ ଦାସ ନୟାଗଡ଼ ସିଡିଏମ୍ଓଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହାଛଡା ନୟାଗଡ଼ ଚକ୍ଷୁ ବିଭାଗର ରିପୋର୍ଟକୁ ତର୍ଜମା କରି ରିପୋର୍ଟ ଦେବାକୁ ଏସ୍ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ମଧ୍ୟ ନୋଟିସ୍ କରିଛନ୍ତି ମାନବାଧିକାର କମିଶନ। ଆଗାମୀ ନଭେମ୍ବର ୧୪ତାରିଖ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମାନବାଧିକାର କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।