ଧର୍ମଗଡ଼,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ମୁଖିଗୁଡା ଇନ୍ଦ୍ରାବତୀ ଓଏଚ୍ପିସିରେ କାର୍ୟ୍ୟରତ ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେର ଗତ ୧୭ ତାରିଖରୁ ନିଖୋଜ ଥିବାବେଳେ ତାଙ୍କ ମୃତଦେହ ମୁଖିଗୁଡା ଏୟାରଟେଲ ଟାୱାର ନିକଟ ବୁଦାମୂଳରୁ ଠାବ ହୋଇଛି। ସୂଚନା ଅନୁସାରେ ରବିବାର ସକାଳ ସମୟରେ ବୁଦାମୂଳରୁ ଦୁର୍ଗନ୍ଧ ହେବାରୁ ଲୋକମାନେ ସେଠାକୁ ଯାଇ ଦେଖିଥିଲେ। ତେବେ ସେଠାରେ ଜଣେ ଯୁବକର ଗଳିତ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଳିତ ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ ଗତ ୧୭ ତାରିଖରୁ ଉକ୍ତ ଜେନେରାଲ ମ୍ୟାନେଜର ଅଫିସକୁ ଆସି ନିଖୋଜ ଥିଲେ। ଏ ନେଇ ତାଙ୍କ ସ୍ତ୍ରୀ ସୁରେଖା ମେହେର ମୁଖିଗୁଡ଼ା ଫାଣ୍ଡିରେ ଅପହରଣ ଓ ନିଖୋଜ ଥିବା ଅଭିଯୋଗ କରିଥିଲେ। ତେବେ ଏହି ଘଟଣାକୁ ନେଇ ପୁଲିସର ଶିଥିଳତା ଯୋଗୁଁ ସ୍ତ୍ରୀ ଚିନ୍ତାରେ ଥିବାବେଳେ ୬ ଦିନ ପରେ ନିଖୋଜ ମ୍ୟାନେଜରଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଏହା ଏକ ସୁପରିକଳ୍ପିତ ଅପହରଣ ଓ ହତ୍ୟା ବୋଲି ସେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ସୋମବାର ସନ୍ଧାନୀ କୁକୁର ଆସି ସୁରାକ ଖୋଜୁଥିବାବେଳେ ମୁଖିଗୁଡା ଗ୍ରାମବାସୀ ସିବିଆଇ ତଦନ୍ତ ଦାବି କରିଛନ୍ତି। ଏଥିସହ ଓଏଚପିସି କର୍ତ୍ତୃପକ୍ଷ, ଅଧିକାରୀ ମଧ୍ୟ ଆସି ନଥିବାରୁ ମୃତଦେହକୁ ଅଟକ ରଖି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଘଟଣାସ୍ଥଳରେ କଳାହାଣ୍ଡି ଏସ୍ପି ବି. ଗଙ୍ଗାଧର ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି।