ପ୍ରକାଶ ପାଇଲା ନିଟ୍ ରେଜଲ୍ଟ, ଦେଶରେ ଟପ୍ପର୍ ହେଲେ ଓଡ଼ିଶାର ସୋଏବ ଅଫତାବ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପ୍ରକାଶ ପାଇଛି ଚଳିତବର୍ଷର ନିଟ୍‌-ୟୁଜି ପ୍ରବେଶିକା ପରୀକ୍ଷା ଫଳ । ଏଥିରେ ଓଡ଼ିଶାର ସୋଏବ ଅଫ୍‌ତାବ । ପ୍ରଥମ ସ୍ଥାନ ଅଧିକାର କରି ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି । ରାଉରକେଲାରେ ଜନ୍ମିତ ସୋଏବ ୭୨୦ ମାର୍କରୁ ଶତପ୍ରତିଶତ ଅର୍ଥାତ ୭୨୦ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସର୍ବଭାରତୀୟ ମେଡିକାଲ ଏଣ୍ଟ୍ରାନ୍ସରେ ଟପ୍ପର ହେବାରେ ସୋଏବ ପ୍ରଥମ ଓଡ଼ିଆ ଭାବେ ରାଜ୍ୟ ପାଇଁ ଏହି ଗୌରବ ଆଣିଛନ୍ତି । ସେ ପାଠ ପଢ଼ିବା ପାଇଁ ମା’ଙ୍କ ସହ ରାଜସ୍ଥାନ କୋଟାରେ ରହୁଛନ୍ତି । ରାଉରକେଲା ଆଜାଦ ମୋହଲାରେ ରହୁଥିବା ମହମ୍ମଦ ଆବାସଙ୍କ ପୁଅ ସୋହେବ ରାଉରକେଲା ଡିସୁଜା ସ୍କୁଲରେ ପାଠ ପଢୁଥିଲେ । ଡିସୁଜାରୁ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ରାଜସ୍ଥାନର କୋଟାରେ +୨ ଅଧ୍ୟୟନ କରୁଥିଲେ । ଏହି ସମୟରେ ସୋହେବ କୋଚିଂ ସେଣ୍ଟରରେ ନାମ ଲେଖାଇ ମେଡିକାଲ ପ୍ରବେଶିକା ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲେ । ସୋହେବଙ୍କ ସଫଳତାରେ ରାଜ୍ୟରେ ଖୁସିର ମାହୋଲ୍ ଦେଖିବାକୁ ମିଳିଛି ।

ନିଟ୍ ଫଳ ପ୍ରକାଶ ପାଇବା ପରେ ପରୀକ୍ଷାରେ ସଫଳତା ହାସଲ କରିଥିବା ରାଜ୍ୟର ସମସ୍ତ ପରୀକ୍ଷାର୍ଥିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଥିବା ବେଳେ ଶତପ୍ରତିଶତ ନମ୍ବର ରଖିଥିବା ସୋଏବଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ନିଟ୍ ପରୀକ୍ଷାରେ ଶତପ୍ରତିଶତ ନମ୍ବର ରଖିଥିବା ସୋଏବ ଫିଜିକ୍ସରେ ୧୮୦ରୁ ୧୮୦, କେମେଷ୍ଟ୍ରିରେ ୧୮୦ରୁ ୧୮୦, ବାୟୋଲୋଜିରେ ୩୬୦ ରୁ ୩୬୦ ନମ୍ବର ରଖି ଏହି ସଫଳତା ହାସଲ କରିଛନ୍ତି । ପରିବାରରେ ସୋଏବଙ୍କ ବାପା ମାଆ ଓ ଛୋଟ ଭଉଣୀ ରହିଛି ।

ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍ ) ପରୀକ୍ଷା ଲାଗି ସର୍ବଭାରତୀୟସ୍ତରରେ ୧୫ଲକ୍ଷ ୯୭ହଜାର ୪୩୫ ଛାତ୍ରଛାତ୍ରୀ ନାମପଞ୍ଜିକରଣ କରିଥିବା ବେଳେ ପରୀକ୍ଷା ଦେଇଥିଲେ ୧୩ଲକ୍ଷ ୬୬ହଜାର ୯୪୫ଜଣ । ସେଥିରୁ ପାସ କରିଛନ୍ତି ୭ଲକ୍ଷ ୭୧ହଜାର ୫୦୦ ପରୀକ୍ଷାର୍ଥି । ଏହି ପରୀକ୍ଷା ଲାଗି ସର୍ବଭାରତୀୟସ୍ତରରେ ପୂର୍ବରୁ ୨୫୪୬ଟି ପରୀକ୍ଷାକେନ୍ଦ୍ର କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ କରୋନା ସଂକ୍ରମଣକୁ ଗୁରୁତ୍ୱ ଦେଇ ପରୀକ୍ଷାକେନ୍ଦ୍ର ସଂଖ୍ୟା ୩୮୪୩କୁ ବୃଦ୍ଧି କରାଯାଇଥିଲା । ସେହିପରି ପ୍ରତ୍ୟେକ କକ୍ଷରେ ସର୍ବାଧିକ ୨୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଧାର୍ଯ୍ୟ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ୧୨କୁ ହ୍ରାସ କରାଯାଇଥିଲା ।

ଓଡ଼ିଶାରେ ୩୭ହଜାର ୫୦୦ ପିଲା ନାମପଞ୍ଜୀକରଣ କରିଥିବା ବେଳେ ପ୍ରାୟ ୩୪ହଜାର ପିଲା ୮୩ଟି ପରୀକ୍ଷାକେନ୍ଦ୍ରର ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ହଜାର ପିଲା ସଫଳତା ହାସଲ କରିଛନ୍ତି । ରାଜ୍ୟର ୭ଟି ସହରରେ ପରୀକ୍ଷାକେନ୍ଦ୍ରର ବ୍ୟବସ୍ଥା ହୋଇଥିବା ବେଳେ ଭୁବନେଶ୍ୱରରେ ସର୍ବାଧିକ ୩୧ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ୬୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।