ବିଜୟ ହଜାରେ ଟ୍ରଫି: ଓଡ଼ିଶା ୬୩ ରନ୍‌ରେ ବିଜୟୀ

ଭୁବନେଶ୍ୱର,ଏଜେନ୍ସି: ଆଜିଠାରୁ ଆରମ୍ଭ ହୋଇଥିବା ବିଜୟ ହଜାରେ ଟ୍ରଫି ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ୨୦୨୧-୨୨ରେ ନିଜର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ବିଜୟୀ ହୋଇଛି। ବୁଧବାର ମୁମ୍ବାଇର ଶରଦ ପାୱାର କ୍ରିକେଟ୍ ଏକାଡମୀ ବିକେସିରେ ଖେଳାଯାଇଥିବା ଏଲିଟ୍ ଗ୍ରୁପ୍‌-ଏ’ ରାଉଣ୍ଡ-୧ର ଏକ ମ୍ୟାଚ୍‌ରେ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଆକର୍ଷଣୀୟ ବ୍ୟାଟିଂ (୧୧୬ ରନ୍‌) ଏବଂ ଜୟନ୍ତ ବେହେରାଙ୍କ ଘାତକ ବୋଲିଂ (୪/୨୪) ସହାୟତାରେ ଓଡ଼ିଶା ଆନ୍ଧ୍ରପ୍ରବେଶକୁ ୬୩ ରନ୍‌ରେ ହରାଇ ଦେଇଛି। ଓଡ଼ିଶାର ୨୭୮ ରନ୍ ଜବାବରେ ଆନ୍ଧ୍ରପ୍ରଦେଶ ୪୬.୩ ଓଭର୍‌ରେ ମାତ୍ର ୨୧୫ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା।

ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଓଡ଼ିଶା ମାତ୍ର ୨୩ ରନ୍ ବେଳେ ଓପ୍ନର୍ ଅନୁରାଗ ଷଡ଼ଙ୍ଗୀ (୫)ଙ୍କୁ ହରାଇଥିଲା। ଏହାପରେ ବ୍ୟାଟିଂ ପାଇଁ ଆସିଥିବା ଅଧିନାୟକ ଶୁଭ୍ରାଂଶୁ ସେନାପତି ଅନ୍ୟତମ ଓପ୍ନର୍ ସନ୍ଦୀପ ପଟ୍ଟନାୟକ (୫୭)ଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ୯୨ ଓ ଗୋବିନ୍ଦ ପୋଦ୍ଦାର (୪୬)ଙ୍କ ସହ ତୃତୀୟ ୱିକେଟ୍ ପାଇଁ ୧୨୪ ରନ୍‌ର ପାର୍ଟନରଶିପ୍ କରି ଦୃଢ଼ ମୂଳଦୁଆ ସ୍ଥାପନ କରିଥିଲେ। ଫଳରେ ଦଳ ନିର୍ଦ୍ଧାରିତ ୫୦ ଓଭର୍‌ରେ ୫ ୱିକେଟ୍ ହରାଇ ୨୭୮ ରନ୍ କରିଥିଲା। ଶୁଭ୍ରାଂଶୁ ୧୨୦ଟି ବଲ୍‌ର ସମ୍ମୁଖୀନ ହୋଇ ୮ଟି ଚୌକା ଓ ଦୁଇଟି ଛକା ଲଗାଇଥିଲେ। ସେହିପରି ଅର୍ଦ୍ଧଶକୀୟ ଇନିଂସ୍ ଖେଳିଥିବା ସନ୍ଦୀପ ୮୬ ବଲ୍‌ରୁ ୬ଟି ଛକା ଲଗାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜେଶ ଧୂପର ୨୮ ରନ୍ କରି ଅପରାଜିତ ଥିଲେ। ଜବାବରେ ଆନ୍ଧ୍ରପ୍ରବେଶ ୪୬.୩ ଓଭର୍‌ରେ ମାତ୍ର ୨୧୫ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା। ଦଳ ପକ୍ଷରୁ ରିକି ଭୁଇ ସର୍ବାଧିକ ୭୪ ରନ୍‌, ମନୀଷ ଗୋଲାମାରୁ ୪୮ କରିଥିବା ବେଳେ ଦୁଇ ଓପ୍ନର୍ ଖାତା ଖୋଲିବା ପୂର୍ବରୁ ହିଁ ପ୍ୟାଭିଲିୟନ୍ ଫେରିଥିଲେ। ଓଡ଼ିଶା ପକ୍ଷରୁ ଜୟନ୍ତୀ ବେହେରା ସର୍ବାଧିକ ୪ଟି, ଦେବବ୍ରତ ପ୍ରଧାନ ୨ଟି ୱିକେଟ୍ ନେଇଥିବା ବେଳେ ରାଜେଶ ମହାନ୍ତି, ସୁନୀଲ ରାଉଳ, ଅଭିଷେକ ରାଉତ ଓ ଗୋବିନ୍ଦ ପୋଦ୍ଦାରଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା। ଏହି ବିଜୟରୁ ଓଡ଼ିଶାକୁ ପୂରା ୪ ପଏଣ୍ଟ ମିଳିଥିଲା।