ସବ୍‌ଜୁନିୟର୍ ରଗ୍‌ବୀରେ ଓଡ଼ିଶାକୁ ଡବଲ୍ ପଦକ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ତେଲେଙ୍ଗାନାର ସିକନ୍ଦରାବାଦସ୍ଥିତ ଜିମ୍‌ଖାନା ସ୍ପୋର୍ଟ୍ସ କମ୍ପେ୍ଲକ୍ସଠାରେ ଶନିବାରଠାରୁ ଆରମ୍ଭ ହୋଇଥିବା ୧୪ ବର୍ଷରୁ କମ୍ ବାଳକ ଓ ବାଳିକା ଜାତୀୟ ରଗ୍‌ବୀ ଚାମ୍ପିଅନ୍‌ଶିପ୍‌ରେ ଓଡ଼ିଶା ଉଭୟ ବିଭାଗରେ ପଦକ ହାସଲ କରିଛି। ଏହି ପ୍ରତିଯୋଗିତାରେ ବାଳିକା ଦଳ ରୌପ୍ୟ ପଦକ ହାସଲ କରିଥିବା ବେଳେ ବାଳକ ଦଳକୁ ବ୍ରୋଞ୍ଜ୍ ପଦକ ମିଳିଛି।

ଫାଇନାଲ୍‌ରେ ଓଡ଼ିଶା ବାଳିକା ଦଳ ବିହାର ବିପକ୍ଷରେ ୦-୧୦ରେ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛି। ଏହାଛଡ଼ା ବାଳକ ଦଳ ସେମିଫାଇନାଲ୍‌ରେ ବିହାରଠାରୁ ୫-୧୫ରେ ପରାସ୍ତ ହେବା ପରେ ବ୍ରୋଞ୍ଜ୍ ପଦକ ମ୍ୟାଚ୍‌ରେ ପଶ୍ଚିମବଙ୍ଗକୁ ୧୫-୫ରେ ହରାଇ ପଦକ ହାସଲ କରିଛି। ପୂର୍ବରୁ ବାଳିକା ଦଳ ସେମିଫାଇନାଲ୍‌ରେ ପଶ୍ଚିମବଙ୍ଗକୁ ୫-୦ରେ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲା।