ଭାରତ ସରକାରଙ୍କ ଉଦ୍ୟମରେ ଓଡ଼ିଶା ପର୍ଯ୍ୟଟନକୁ ବିକଶିତ କରିବ

ନୂଆଦିଲ୍ଲୀ, ଭୁବନେଶ୍ୱର, ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ସଂରକ୍ଷଣ ପାଇଁ ଉଦ୍ୟମ ଏବଂ ଜୈବବିବିଧତାକୁ ସଶକ୍ତ କରିବାର ପ୍ରଚେଷ୍ଟା ଓଡ଼ିଶାରେ ପର୍ଯ୍ୟଟନକୁ ବ୍ୟାପକ ଓ ବିକଶିତ କରିବାରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୋଦୀ ସରକାର ବନ୍ୟଜନ୍ତୁ ସଂରକ୍ଷଣ ଏବଂ ଜଙ୍ଗଲ ସୁରକ୍ଷା ପାଇଁ ନେଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରସଙ୍ଗରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ବନ୍ୟଜନ୍ତୁ ସଂରକ୍ଷଣ ଏବଂ ସହାବସ୍ଥାନ ଭାରତର ସାଂସ୍କୃତିକ ବୈଶିଷ୍ଟ୍ୟର ଏକ ଅଙ୍ଗ ଭାବେ ରହିଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଜୈବବିବିଧତା ସଂରକ୍ଷଣ ପ୍ରତି ଅଧିକ ସମ୍ବେଦନଶୀଳ ଏବଂ ଏହାର ପ୍ରୋତ୍ସାହନ ଓ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। ଉଦ୍ଭିଦ ଓ ଜୀବଜନ୍ତୁଙ୍କ ସମ୍ଭାରରେ ପରିପୂର୍ଣ୍ଣ ଭାରତ ବିଶ୍ୱର ଜୈବବିବିଧତାର ପ୍ରାୟ ୭ ରୁ ୮ ପ୍ରତିଶତ। ବନ୍ୟଜନ୍ତୁ ଓ ଜୈବବିବିଧତାର ସଂରକ୍ଷଣ, ପରିଚାଳନା ତଥା ସୁରକ୍ଷା ସମ୍ବନ୍ଧରେ ଭାରତ ଅନେକ ପ୍ରମୁଖ ଅନ୍ତର୍ଜାତୀୟ ସମ୍ମିଳନୀରେ ଚୁକ୍ତିସ୍ୱାକ୍ଷର କରିଛି।

ଭାରତ ସରକାରଙ୍କ ବ୍ୟାଘ୍ର ପ୍ରକଳ୍ପ ଦେଶରେ ବଡ଼ ସଫଳତାର ସହ ଦୁଇବର୍ଷ ମଧ୍ୟରେ ବାଘ ସଂଖ୍ୟାକୁ ଦୁଇଗୁଣା କରି କୃତିତ୍ୱ ହାସଲ କରିପାରିଛି। ଶ୍ରୀ ପ୍ରଧାନ କହିଛନ୍ତି ଅପାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଓଡ଼ିଶା ପୂର୍ବ ଭାରତର ଜୈବବିବିଧତା ହଟ୍ସ୍ପଟ୍ ମଧ୍ୟରୁ ଅନ୍ୟତମ। ସେ କହିଛନ୍ତି ନଦୀକୂଳ ଅଞ୍ଚଳର ଇକୋସିଷ୍ଟମ ବା ପରିସଂସ୍ଥାନ ପରିବେଶ ସ୍ୱାସ୍ଥ୍ୟର ଗୁରୁତ୍ୱପୂର୍ଣ୍ଣ ଦିଗକୁ ସୂଚିତ କରେ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଡଲଫିନ୍ ପ୍ରକଳ୍ପ ସାମୁଦ୍ରିକ ପରିସଂସ୍ଥାନ ସଂରକ୍ଷଣର ଉଦ୍ୟମକୁ ପୁନଃଉଦ୍ଧାର କରିବା ସହ ଓଡ଼ିଶାର ଇରାୱାଡ଼ି ଡଲଫିନ ଏବଂ ଅଲିଭ୍ ରିଡଲେ କଇଁଛଙ୍କ ପାଇଁ ବରଦାନ ସଦୃଶ ହେବ। ଗତଥର କାମ୍ପା ପାଣ୍ଠି ଅଧୀନରେ କେନ୍ଦ୍ର ସରକାର ବୃକ୍ଷରୋପଣ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶାକୁ ୫୯୩୩.୯୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସଂରକ୍ଷଣ, ସ୍ଥାୟୀ ଜୀବନଶୈଳୀ, ସବୁଜ ଅର୍ଥନୀତି ମଡେଲ୍ ନିର୍ମାଣର ମୂଲ୍ୟ ଆଧାରରେ ଭାରତ ଜଳବାୟୁ କ୍ରିୟାରେ କୃତିତ୍ୱ ହାସଲ କରିଛି। ପରିବେଶକୁ କ୍ଷତି ନପହଞ୍ଚାଇ ସ୍ଥିର ବିକାଶ ଓ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ଦିଗରେ ମୋଦୀ ସରକାର ବିଶ୍ୱାସ କରନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।