ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ବର୍ଷ ରାଜ୍ୟରେ ମୌସୁମୀ ବର୍ଷାର ପରିମାଣ ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ ଅଧିକ ରହିବ। ବର୍ତ୍ତମାନ ରାଜ୍ୟରେ ପ୍ରାକ୍-ମୌସୁମୀ ବର୍ଷା ଆରମ୍ଭ ହୋଇଛି ଯାହାକି, ମାର୍ଚ୍ଚଠାରୁ ମେ’ ମାସ ପର୍ଯ୍ୟନ୍ତ ଜାରି ରହିବ। ତାହାପରେ ରାଜ୍ୟବ୍ୟାପୀ ମୌସୁମୀ ବର୍ଷା ଆରମ୍ଭ ହେବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ମତବ୍ୟକ୍ତ କରିଛନ୍ତି। ତେବେ ଚଳିତବର୍ଷ ଜୁନ୍ରେ ମୌସୁମୀ ରାଜ୍ୟରେ ମୌସୁମୀ ପ୍ରବେଶ ସାମାନ୍ୟ ବିଳମ୍ବ ହେବାର ସମ୍ଭାବନା ଥିଲେ ହେଁ ଜୁଲାଇରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ରହିଥିବା ସେ କହିଛନ୍ତି।
ବିଶ୍ୱର ବିଭିନ୍ନ ଦେଶର ପାଣିପାଗ ସମ୍ପର୍କିତ ମଡେଲ ଆକଳନର ଫଳାଫଳକୁ ସମୀକ୍ଷା କରି ପ୍ରଫେସର ପଶୁପାଳକ କହିଲେ ଯେ ଏନ୍ସୋ(ଏଲନିନୋ- ସଦର୍ନ ଓସିଲେସନ)କୁ ଆଖି ଆଗରେ ରଖି ମୌସୁମୀ ବର୍ଷାର ଆକଳନ କରାଯାଇଥାଏ। ସାଧାରଣତଃ ସମୁଦ୍ର ପତ୍ତନର ତାପମାତ୍ରା ଓ ବାହ୍ୟ ଚାପର ମିଶ୍ରଣରେ ଏନ୍ସୋର ଆକଳନ କରାଯାଇଥାଏ। ଏନ୍ସୋ ଚକ୍ରରେ ଏଲ୍ନିନୋ ଏବଂ ଲାନିନୋ ଦୁଇଟି ପରସ୍ପର ବିରୋଧୀ ପର୍ଯ୍ୟାୟ ଅଟନ୍ତି। ଏଲନିନୋ ଏନସୋ ଚକ୍ରର ଗରମ ପର୍ଯ୍ୟାୟ ହୋଇଥିବା ବେଳେ ଲାନିନୋ ଥଣ୍ଡା ପର୍ଯ୍ୟାୟ ହୋଇଥାଏ। ଯେଉଁ ବର୍ଷ ଏଲ୍ନିନୋର ମାତ୍ରା ଅଧିକ ରହିଥାଏ, ସେହିବର୍ଷ ମୌସୁମୀ ବର୍ଷା ସାଧାରଣତଃ କମ୍ ହୋଇଥାଏ। ଅନ୍ୟପକ୍ଷରେ ଲାନିନୋର ମାତ୍ରା ଅଧିକ ରହିଲେ ଏହା ପ୍ରତ୍ୟକ୍ଷ ଭାବେ ମୌସୁମୀ ବର୍ଷାକୁ ସ୍ୱାଭାବିକଠାରୁ ଅଧିକ କରିଥାଏ। ତେବେ ଯଦି ଏନ୍ସୋର ମାତ୍ରା ନ୍ୟୁଟ୍ରାଲ ରୁହେ ତେବେ ଉକ୍ତ ବର୍ଷ ସ୍ୱାଭାବିକ ମୌସୁମୀ ବର୍ଷା ହୋଇଥାଏ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।
ତେବେ ଉପରୋକ୍ତ ଉପାଦାନଗୁଡ଼ିକ ସମ୍ବନ୍ଧରେ ଆମେରିକା କଲମ୍ବିଆ ବିଶ୍ୱବିଦ୍ୟାଳୟସ୍ଥିତ ଆନ୍ତର୍ଜାତିକ ପାଣିପାଗ ଗବେଷଣା କେନ୍ଦ୍ର ପକ୍ଷରୁ ନିକଟରେ ପାଣିପାଗ ଆକଳନ ତଥ୍ୟ ପ୍ରକାଶ ପାଇଛି। ସେହିପରି ବିଶ୍ୱର ବିଭିନ୍ନ ଦେଶର ୧୮ଟି ନ୍ୟୁମେରିକାଲ ମଡେଲ ଓ ୮ଟି ଷ୍ଟାଟିଷ୍ଟିକାଲ ମଡେଲର ମଧ୍ୟ ବିଶ୍ଳେଷଣ କରାଯାଇଛି। ଉପରୋକ୍ତ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଚଳିତ ବର୍ଷ ମାର୍ଚ୍ଚ ପ୍ରାରମ୍ଭରେ ଏନ୍ସୋ ୬୦ ପ୍ରତିଶତ ନ୍ୟୁଟ୍ରାଲ ରହିଥିବା ବେଳେ ଏଲନିନୋ ୩୯ ପ୍ରତିଶତ ଏବଂ ଲାନିନୋ ୧ ପ୍ରତିଶତ ରହିଛି। ମାତ୍ର ମୌସୁମୀ ଯେତେ ପାଖେଇ ଆସିବ ଏଲ୍ନିନୋର ମାତ୍ରା କମିବା ସହ ଲାନିନୋର ପ୍ରତିଶତ ବଢ଼ି ବଢ଼ି ଚାଲିବ। ଜୁଲାଇ ବେଳକୁ ଲାନିନାର ପ୍ରତିଶତ ବଢ଼ିବା ସହ ଏନସୋ ମାତ୍ରା ୫୦ ପ୍ରତିଶତ ନ୍ୟୁଟ୍ରାଲ ରହିବ।
ତେଣୁ ସ୍ୱାଭାବିକ ଭାବେ ଲାନିନୋର ପରିମାଣ ଅଧିକ ହେଲେ ପାଗ ମେଘୁଆ ହେବା ସହ ମୌସୁମୀ ବର୍ଷା ଅଧିକ ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ସେହିପରି ଜାପାନର ଏକ ବିଶ୍ୱାସଯୋଗ୍ୟ ପାଣିପାଗ ମଡେଲ ଅନୁଯାୟୀ ଇଣ୍ଡିଆନ ଓସନ୍ ଡାଇପୋଲ ମାର୍ଚ୍ଚଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢ଼ି ବଢ଼ି ଯିବ। ଫଳରେ ଚଳିତ ବର୍ଷ ରାଜ୍ୟରେ ଅଧିକ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଚଳିତବର୍ଷ ପ୍ରାକ୍-ମୌସୁମୀ ବର୍ଷା କାରଣରୁ ରାଜ୍ୟରେ ଗରମର ପରିମାଣ ମଧ୍ୟ ସ୍ୱାଭାବିକଠାରୁ କମ୍ ରହିବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଶୀତ ରାଜ୍ୟରେ ବିଳମ୍ବରେ ଆସିବା ନେଇ ପ୍ରଫେସର ପଶୁପାଳକ ଆକଳନ କରିଥିବା ବେଳେ ତାହା ସଠିକ୍ ସାବ୍ୟସ୍ତ ହୋଇଥିଲା।