ଓଡ଼ିଶାର ସୀମାନ୍ତ ଗାଁ ଆନ୍ଧ୍ର କବ୍‌ଜାରେ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ରାଜ୍ୟ ଓଡ଼ିଶା ଏବଂ ଗାଁ ବି ଓଡ଼ିଶାର, ହେଲେ ସେଠାରେ ଚାଲିଛି ଆନ୍ଧ୍ରପ୍ରଦେଶ ସରକାରର ରାଜୁତି ଚାଲିଛି। ଏପରିକି ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଛି ଆନ୍ଧ୍ରପ୍ରଦେଶ ସରକାର। ପଡୋଶୀ ରାଜ୍ୟ ସୀମାନ୍ତ ଗାଁ କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଥମିନଥିବା ବେଳେ ପୁଣିଥରେ ସମାନ ଦୃଶ୍ୟ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ ସ୍ୱାଭିମାନ ଅଞ୍ଚଳର ସୀମାନ୍ତ ଗାଁ’ ଜୁମଡାଙ୍ଗକୁ ଆନ୍ଧ୍ରପ୍ରଦେଶ ସମ୍ପୂର୍ଣ୍ଣ କବ୍‌ଜା କରିଥିବା ଦେଖିବାକୁ ମିଳିଛି।

କିଛି ବର୍ଷ ତଳେ ଚିତ୍ରକୋଣ୍ଡା ବ୍ଲକ୍‌ ରାଲେଗାଡ଼ା ପଞ୍ଚାୟତରୁ ଅଲଗା ହୋଇ ଧୂଳିପୁଟ୍‌ ପଞ୍ଚାୟତରେ ମିଶିଥିଲା। ସରକାରୀ ସ୍ତରରେ ଏହି ନିଷ୍ପତ୍ତି ସିନା ହେଲା, କିନ୍ତୁ ବାସ୍ତବରେ ବ୍ଲକ୍‌ ପ୍ରଶାସନ ଏ ଗାଁ ସହ କୌଣସି ସମ୍ପର୍କ ରଖିଲାନି। ଅନ୍ୟପଟେ ଓଡ଼ିଶାର ନୀରବତାର ଫାଇଦା ନେଇ ଆନ୍ଧ୍ର ଜୁମଡାଙ୍ଗ ଲୋକଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେଇଛି। ପାନୀୟ ଜଳ, ବିଜୁଳି ଆଲୁଅ, ରାସନ କାର୍ଡଠୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ ସରକାରୀ ସୁବିଧା ଲୋକଙ୍କ ହାତ ପାଆନ୍ତାରେ ପହଞ୍ଚାଇଛି।

ଖାଲି ସେତିକି ନୁହେଁ, ପୂର୍ବରୁ ଓଡ଼ିଶାର ଭୋଟର ଓ ଆଧାର କାର୍ଡ ରଖିଥିବା ଏହି ଲୋକଙ୍କୁ ନୂଆ ପରିଚୟପତ୍ର ଦେଇ ଆନ୍ଧ୍ର ବାସିନ୍ଦା ବୋଲି ପ୍ରମାଣିତ କରାଯାଇଛି। ଜୁମଡାଙ୍ଗ ଗାଁରେ ପୂର୍ବରୁ ଏକ ଅଙ୍ଗନବାଡ଼ି କେନ୍ଦ୍ର ଥିଲା। ହେଲେ ଗତ କିଛି ବର୍ଷ ହେବ ତା’ ବି ଠପ୍‌ ହୋଇଯାଇଛି। ଓଡ଼ିଶା ପ୍ରଶାସନ ଗାଁରେ ଆଜିଯାଏଁ ସ୍କୁଲ୍‌ଟିଏ କରିବାକୁ ସରକାର ଉଚିତ ମଣିନଥିବାରୁ ସେ ସୁବିଧା ମଧ୍ୟ ଯୋଗାଇ ଦେଇଛି। ଫଳରେ ପିଲାଏ ଓଡ଼ିଆ ହୋଇ ବି ତେଲୁଗୁ ଭାଷାରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି।

 ଜୁମଡାଙ୍ଗ ବାସିନ୍ଦାଙ୍କ  ଅଭିଯୋଗ ଯେ ବର୍ଷ ବର୍ଷ ଧରି ପ୍ରଶାସନର କୌଣସି ଅଧିକାରୀ ସେମାନଙ୍କ ପାଖ ମାଡ଼ି ନାହାନ୍ତି। ଏପଟେ ପଞ୍ଚାୟତରେ ନିର୍ବାଚନ ହୋଇନଥିବାରୁ ପଞ୍ଚାୟତ ପ୍ରତିନିଧି ବି ନାହାନ୍ତି। ତେଣୁ ଆନ୍ଧ୍ର ସହଯୋଗ ଗ୍ରହଣ କରିବା ବ୍ୟତୀତ ସେମାନଙ୍କ ନିକଟରେ କିଛି ବିକଳ୍ପ ନାହିଁ ବୋଲି କହିଛନ୍ତି।