ରାଜ୍ୟରେ ବନ୍ଦ ହେବ ଓଡ଼ିଶା ରାଜ୍ୟ ଟ୍ରିଟମେଣ୍ଟ୍ ଫଣ୍ଡ୍ ! ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ବ୍ୟକ୍ତିଙ୍କୁ ପରିଚୟପତ୍ର ପ୍ରଦାନ ହେବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବନ୍ଦ ହେବ ଓଡ଼ିଶା ରାଜ୍ୟ ଟ୍ରିଟମେଣ୍ଟ୍ ଫଣ୍ଡ୍ (ଓଏସଟିଏଫ୍)। ଓଏସଟିଏଫ୍ ଯୋଜନା ଜରିଆରେ ରାଜ୍ୟ ସରକାର ଗରିବ ଓ ସାଧାରଣଙ୍କ ଲୋକୁ ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇଥାନ୍ତି। ଏହି ଓଏସଟିଏଫ୍ ବାବଦକୁ ମିଳୁଥିବା ଅର୍ଥକୁ ଏଣିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳିବ। ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ପରିଚୟପତ୍ର ପ୍ରଦାନ କରିବା ଲାଗି ଚିନ୍ତା କରୁଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଏହି ବ୍ୟବସ୍ଥା ଲାଗୁ କରିବା ଲାଗି ଆପାତତଃ ସ୍ଥିର କରାଯାଇଥିବା ସୂଚନା ମଳିଛି।

ହେଲେ ଆଗକୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଲାଗୁ ବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବଳବତ୍ତର ରହିବ, ତାହାକୁ ନେଇ ସରକାର ବର୍ତ୍ତମାନ ଦ୍ୱନ୍ଦ୍ୱରେ ଅଛନ୍ତି। ଯଦି ରାଜ୍ୟରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ନହୁଏ, ତାହେଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବଳବତ୍ତର ରହିବ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ଓଏସଟିଏଫ୍ ବାବଦ ଅର୍ଥ ମିଳିବ।
ରାଜ୍ୟ ସରକାର ଓଏସଟିଏଫ୍ ଯୋଜନା ମାଧ୍ୟମରେ ଗରିବ ଓ ସାଧାରଣ ଲୋକଙ୍କ ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭିନ୍ନ ସମୟରେ ବିଭିନ୍ନ କାରଣ ନେଇ ରୋଗୀ ବେଳେ ବେଳେ ଠିକ୍ ସମୟରେ ଯୋଜନାର ସୁଫଳ ପାଇପାରୁନଥିଲା।

ଏହି ଓଏସଟିଏଫ୍ ବାବଦକୁ ଅର୍ଥ ପାଇବା ପାଇଁ ପ୍ରଥମେ ଏକ ଫର୍ମ ମାଧ୍ୟମରେ ଡିଏମଇଟିଙ୍କ ପାଖରେ ଆବେଦନ କରିବାକୁ ପଡ଼ିଥାଏ। ଡିଏମଇଟି ଓଏସଟିଏଫ୍ ଯୋଜନାରେ ଅର୍ଥ ଦେବା ଲାଗି ରୋଗୀଙ୍କ ରୋଗ ସମ୍ବନ୍ଧରେ ଚିକିତ୍ସା କରୁଥିବା ଡାକ୍ତର ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ ବିଚାର ପରାମର୍ଶ କରିଥାଏ। ଓଏସଟିଏଫ୍ ନିୟମ ଅନୁସାରେ ସମସ୍ତ ପ୍ରକ୍ରିୟା ପୂରଣ ପରେ ହିଁ ଯାଇ ରୋଗୀ ବାବଦର ଅର୍ଥ ସମ୍ପୃକ୍ତ ହସ୍ପିଟାଲକୁ ପ୍ରଦାନ କରିଥାଏ। ଏଥିପାଇଁ ରୋଗୀଙ୍କ ସମ୍ପର୍କୀୟ ବହୁ ସମୟ ଧରି ବାରମ୍ବାର ଡିଏମଇଟି ଅଫିସ୍ ର ଦ୍ୱାରସ୍ତ ହୋଇ ନୟାନ୍ତ ହୋଇଥାନ୍ତି।

ବେଳେବେଳେ ରୋଗୀର ଠିକ୍ ସମୟରେ ଚିକିତ୍ସା ପାଇପାରେନାହିଁ। ଆଉ ମଧ୍ୟ ବେଳେବେଳେ ରୋଗୀଙ୍କ କ୍ଷେତ୍ରରେ ଚିକିତ୍ସା ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥାଏ। ହେଲେ ଏହି ଅଧିକ ଖର୍ଚ୍ଚ ପାଇଁ ମଧ୍ୟ ପୁଣିଥରେ ଡିଏମଇଟିଙ୍କ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିଥାଏ। ଆଉ ଏକ ମୁଖ୍ୟ ସମସ୍ୟା ହେଲା ବେଳେବେଳେ ସରକାରଙ୍କ ପକ୍ଷରୁ ସମ୍ପୃକ୍ତ ହସ୍ପିଟାଲ ଓଏସଟିଏଫ୍ ବାବଦକୁ ଦେବାକୁ ଥିବା ଅର୍ଥ ଦେବାରେ ବିଳମ୍ବ ହୋଇଥାଏ। ଏହି ବିଳମ୍ବ କାରଣ ପାଇଁ ସମ୍ପୃକ୍ତ ହସ୍ପିଟାଲ ଚିକିତ୍ସା କରିବାକୁ କୁଣ୍ଠାବୋଧ କରି ରୋଗୀଙ୍କୁ ନାନା ବାହାନା ଦେଖାଇ ହଇରାଣ କରିଥାଏ। ଫଳରେ ରୋଗୀଙ୍କ ରୋଗ ଯନ୍ତ୍ରଣାଠାରୁ ଏହି ଯନ୍ତ୍ରଣା ବଢ଼ିବାରେ ଲାଗିଥାଏ।

ରାଜ୍ୟ ସରକାର ଏହି ସବୁ ଅସୁବିଧାରୁ ମୁକ୍ତି କରିବା ଲାଗି ଓଏସଟିଏଫ୍ ଯୋଜନାକୁ ବନ୍ଦ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା ରୋଗୀଙ୍କୁ ଉପଯୁକ୍ତ ଭାବରେ ପାଇପାରେ ନାହିଁ। ବାବଦର ଅର୍ଥ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚି ପାରେନାହିଁ। ତେଣୁ ଏହି ସବୁ ସମସ୍ୟାକୁ ଦେଖି ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତ ଚିକିତ୍ସା ସେବା ଯୋଗାଇଦେବେ। ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ଲକ୍ଷ ପରିବାରଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ ସ୍ଥିର କରିଛନ୍ତି। ବିପିଏଲ୍ କାର୍ଡଧାରୀ ଓ ସାଧାରଣ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ।

ଯେଉଁମାନଙ୍କ ବାର୍ଷିକ ଆୟ ୪୦ହଜାରରୁ କମ୍ ବା ଗରିବ ଲୋକଙ୍କୁ ରାଜ୍ୟ ସରକାର ଓଏସଟିଏଫ୍ ଯୋଜନାରେ ଅର୍ଥ ଯୋଗାଇ ଦେଇଥାନ୍ତି। ସହରାଞ୍ଚଳରେ ବସବାସ କରିଥିବା ଗରିବ ଲୋକଙ୍କ ପାଇଁ ୪୦ ହଜାର ଓ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ୬୦ହଜାର ଟଙ୍କା ଚିକିତ୍ସା ବାବଦକୁ ଟଙ୍କା ପ୍ରଦାନ କରିଥାନ୍ତି। ଆବଶ୍ୟକ ସ୍ଥଳେ ଚିକିତ୍ସା ବାବଦକୁ ଖର୍ଚ୍ଚ ୧ଲକ୍ଷ ଟଙ୍କାରୁ ୩ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥାଏ। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁବନ୍ଧିତ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଚିକିତ୍ସା ସେବା ମିଳିଥାଏ। ଏଣିକି ସମସ୍ତ ଚିକିତ୍ସା ସେବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମିଳିବ ପାଇଁ ସରକାର ଚିନ୍ତା କରୁଥିବା ବିଶ୍ୱସ୍ତସୂତ୍ରରୁ ଜଣାପଡ଼ିଛି।