ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷାଙ୍କୁ “ଭାରତ ଚମ୍ପିୟନ ସମ୍ମାନ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଶିଶୁର ଅଧିକାର ପାଇଁ ବିଶ୍ୱର ୧୨୦ଟି ଦେଶରେ କାର୍ଯ୍ୟ କରୁଥିବା “ସେଭ୍ ଦି ଚିଲ୍ଡ୍ରେନ୍’ ସାରା ପୃଥିବୀରେ ଏହାର ଶତବାର୍ଷିକୀ ପାଳନ କରୁଥିବା ଅବସରରେ ଦିଲ୍ଲୀର ହାବିଟାଟ୍ ସେଂଟରଠାରେ ଆୟୋଜିତ “ଦି ରାଇଟ୍ ଷ୍ଟାର୍ଟ ନ୍ୟାସନାଲ ସମିଟ୍ ” ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡିଶା ସମେତ ୧୦ଟି ରାଜ୍ୟର ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷମାନଙ୍କୁ ଶିଶୁ ଅଧିକାର ସୁରକ୍ଷା ପାଇଁ ଭାରତ ଚମ୍ପିୟନ ସମ୍ମାନ ପ୍ରଦାନ କରାଯାଇଛି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଏହି ଜାତୀୟ ସମ୍ମିଳନୀରେ ଯୋଗ ଦେଇ ଉକ୍ତ ସମ୍ମାନ ଗ୍ରହଣ କରିଛନ୍ତି। ନିକଟରେ ଘଟିଥିବା ମହାବାତ୍ୟା “ଫନୀ’ ସମୟରେ ଛୋଟ ପିଲାଙ୍କର ସୁରକ୍ଷା ପାଇଁ ତାଙ୍କର ଆପତକାଳୀନ ସହଯୋଗ ଦେଇଥିବାରୁ ତଥା ଶିଶୁ ଅଧିକାରର ସୁରକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସୁଶ୍ରୀ ପ୍ରଧାନଙ୍କୁ ଭାରତ ଚମ୍ପିୟନ ସମ୍ମାନ ପ୍ରଦାନ କରାଯାଇଛି।

ଏହି ସମ୍ମାନ ପ୍ରଦାନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ “ସେଭ୍ ଦି ଚିଲଡ୍ରେନ୍’ ଭାରତର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଦିଶା ପିଲାଇ, “ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ’ର ଅଧ୍ୟକ୍ଷ ଶ୍ରୀ ପ୍ରିୟଙ୍କ କାନୁନଗୋ, “ୟୁନିସେଫ୍’ର ଭାରତୀୟ ପ୍ରତିନିଧି ଡ. ଜାସମିନ୍ ଅଲ୍ଲୀ ହାକ୍ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।