ଭୁବନେଶ୍ବର: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ ୪ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ । ବାଲେଶ୍ବର, ଭଦ୍ରକ, କଟକ, ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି । ଦୁର୍ଘଟଣାରେ ଆହତ ଶିଶୁ ଓ କିଶୋରଙ୍କ ସୁରକ୍ଷା ନେଇ ଚିଠିଲେ ଉଲ୍ଲେଖ କରଯାଇଛି । ସେମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ଚିଠିଲେ ଉଲ୍ଲେଖ କରାଯାଇଛି । ପ୍ରଭାବିତ ଶିଶୁ କିଶୋରଙ୍କ ବିଷୟରେ ଜଣାଇବାକୁ କୁହାଯାଇଛି । ଏ ସମ୍ପର୍କରେ ଆଗାମୀ ୭ ଦିନ ଭିତରେ ଜଣାଇବାକୁ ପରାମର୍ଶ ଦିଆଯାଇଛି ।
ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ ବାଲେଶ୍ଵର ଜିଲ୍ଲାର ବାହାନଗା ଠାରେ ଘଟିଥିବା କରୋମଣ୍ଡଲ ଟ୍ରେନ୍ ଦୁର୍ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି ଦୁର୍ଘଟଣାରେ ଅନେକ ସଂଖ୍ୟାରେ ଯାତ୍ରୀ ଆହତ ହୋଇଥିବା ବେଳେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି । କୌଣସି ଦୁର୍ଘଟଣା ଏବଂ ବିପର୍ଯ୍ୟୟ ସମୟରେ ପିଲାମାନେ ସବୁଠାରୁ ଅଧିକ ପ୍ରଭାବିତ ହୁଅନ୍ତି । ଚିକିତ୍ସା ସେବା ଓ ଶାରୀରିକ ସୁରକ୍ଷା ପାଇବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏପରିକି ପିଲାମାନେ ଅସଦାଚରଣର ଶିକାର ହୋଇପାରନ୍ତି । ଏହାସହ ମାନବ ଚାଲାଣର ଶିକାର ହେବାର ମଧ୍ୟ ଦେଖିବାକୁ ମିଳେ । ତେଣୁ ଏନେଇ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ସହ ସେମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି ।