ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଶୀ ଦଶକରେ ଖାଦ୍ୟର ଅଭାବ ଦେଖାଦେଇଥିଲା । ମାତ୍ର ଏବେ ଖାଦ୍ୟସୁରକ୍ଷା ଯୋଜନାରେ ଓଡ଼ିିଶା ରୋଲ୍ ମଡେଲ ସାଜିଛି । ଓଡ଼ିଶା ନମ୍ବର-୧ । ନିଜେ କେନ୍ଦ୍ରମନ୍ତ୍ରୀ ଏହା ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ସ୍ୱାମୀନାଥନ କମିଟି ରିପୋର୍ଟକୁ ଆଧାରକରି ଏମ୍ଏସ୍ପି ୨୯୩୦ କୋଟି ଟଙ୍କା କରିବା ଦରକାର । ହେଲେ ତାହା କରୁନାହାନ୍ତି । ସେଥିପାଇଁ ଚାଷୀ ସେମାନଙ୍କର ପ୍ରାପ୍ୟ ପାଇପାରୁନାହାନ୍ତି । ଚାଷୀ ଧାନ କିଣା ବାବଦ ଟଙ୍କା ଦେବା ପାଇଁ ରାଜ୍ୟ ସରକାର ୨୪ଶହ କୋଟି ଟଙ୍କା ଋଣ କରିଛି । ଏପରିକି ଚାଷୀଙ୍କୁ ଠିକ ସମୟରେ ଧାନ କିଣା ରାଶି ଦେବା ପାଇଁ ରିଭଲ୍ଭିଙ୍ଗ ଫଣ୍ଡ୍ ଗଠନ କରିଛନ୍ତି । ଓଡିଶା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇଣ୍ଟରରେଷ୍ଟ ଫ୍ରି ଲୋନ୍ ଦିଆଯାଉଛି । ସମବାୟ, ଖାଦ୍ୟଯୋଗାଣ ଏବଂ କୃଷି ବିଭାଗ ମଧ୍ୟରେ ସେତୁ ଭଳି କାର୍ଯ୍ୟକରୁଛି ବୋଲି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚଦାବି ଉତ୍ତରରେ ଏହା କହିଛନ୍ତି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟ କକ୍ଷତ୍ୟାଗ କରିଥିଲେ ।
ବୁଧବାର ବିଭାଗୀୟ ମନ୍ତ୍ରୀ ଶ୍ରୀ ନାୟକ ରାଜ୍ୟ ସରକାର ୨୦୨୩-୨୪ ଆର୍ôଥକ ବର୍ଷ ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ ମୋଟ୍ ୩୨୨୯ କୋଟି ୯୫ ଲକ୍ଷ ୩୬ ହଜାର ଟଙ୍କାର ବ୍ୟୟ ବରାଦ ଗୃହରେ ପାରିତ ପାଇଁ ଆଗତ କରିଥିଲେ । ଏଥି ମଧ୍ୟରୁ ପ୍ରଶାସନିକ ଖର୍ଚ୍ଚ ପାଇଁ ୮୮ କୋଟି ୨୫ ଲକ୍ଷ ୬୪ ହଜାର ଟଙ୍କା ଓ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ମୋଟ୍ ୩୧୪୧ କୋଟି ୬୯ ଲକ୍ଷ ୭୨ ହଜାର ଟଙ୍କା ବ୍ୟୟ ବରାଦ ହୋଇଛି । ଦୁଇ ବିଭାଗର ଖର୍ଚ୍ଚଦାବି ବାଚନିକ ଭୋଟ୍ରେ ପାରିତ ହୋଇଛି ।
ଖର୍ଚ୍ଚଦାବି ଆଲୋଚନା ପ୍ରାରମ୍ଭରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିରୋଧୀ ସଭ୍ୟ ମୁକେଶ ମହାଲିଙ୍ଗ, ତାରା ପ୍ରସାଦ ବାହିନୀପତି, କୁସୁମ ଟେଟେ ପ୍ରମୁଖ ସରକାରଙ୍କୁ ସମାଲୋଚନା କରିଥିଲାବେଳେ ଶାସକ ସଭ୍ୟ ଭୂପିନ୍ଦର ସିଂହ, ଦେବେଶ ଆଚାର୍ଯ୍ୟ, ନିତ୍ୟାନନ୍ଦ ଗଣ୍ଡ ଓ ପ୍ରଫୁଲ୍ଲ ସାମଲ ପ୍ରମୁଖ ଖର୍ଚ୍ଚଦାବିକୁ ସମର୍ଥନ କରିଥିଲେ । ଉତ୍ତରରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ରାଜ୍ୟ ସରକାର ଚଳିତ ବଜେଟ୍ରେ ୨୦୦୦ କୋଟି ଟଙ୍କାର ଏକ ଆବର୍ତ୍ତନ ପାଣ୍ଠିଯୋଜନାର ବ୍ୟବସ୍ଥା କରିଛନ୍ତି । କେନ୍ଦ୍ର ସରକାରଙ୍କ ଠାରୁ ସବ୍ସିଡି ଅର୍ଥ ପାଇବାରେ ବିଳମ୍ବ ହେଲେ ମଧ୍ୟ ବିଭାଗ ଏହି ପାଣ୍ଠିରୁ ଆବଶ୍ୟକ ଅର୍ଥ ଆଣି ଧାନ ସଂଗ୍ରହ ବ୍ୟବସ୍ଥାକୁ ସୂଚାରୁ ରୂପେ ସମ୍ପାଦନ କରିପାରିବେ । ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ ଠାରୁ ସବ୍ସିଡି ବାବଦ ଅର୍ଥ ପାଇବା ପରେ ଘୂର୍ଣ୍ଣନ ପାଣ୍ଠିରୁ ଅଣା ଯାଇଥିବା ଅର୍ଥ ରାଶି ଫେରସ୍ତ କରାଯିବ । ଚାଷୀଙ୍କୁ ୨୪ ଘଣ୍ଟା ମଧ୍ୟରେ ସେମାନଙ୍କର ପ୍ରାପ୍ୟ ପାଇବା ସୁନିଶ୍ଚିତ କରାଯାଉଛି । ଉପଗ୍ରହ ଚିତ୍ର ଓ ପ୍ରଦ୍ୟୋଗିକ ଜ୍ଞାନକୌଶଳର ବ୍ୟବହାର କରି ରାଜ୍ୟରେ ଖରିଫ୍ ବିପଣନ ବର୍ଷ ୨୦୨୧–୨୨ ଠାରୁ ଏହି ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହେଉଅଛି ।
ଚଳିତ ଖରିଫ୍ ବିପଣନ ବର୍ଷ ୨୦୨୨ -୨୩ ରେ ଉପଗ୍ରହ ଚିତ୍ର ବ୍ୟବହାର କରି ୩୦ ଗୋଟି ଜିଲ୍ଲାରେ ପ୍ରକୃତ ଚାଷ ହୋଇଥିବା ଅଞ୍ଚଳକୁ ଚିହ୍ନଟକରି କୃଷକ ପଞ୍ଜୀକରଣ, ଧାନ କ୍ରୟ ପ୍ରକ୍ରିୟା ସମୟରେ ଅଧିକ ସ୍ୱଚ୍ଛତା ଆଣିବାରେ ସହାୟାକ ହେଉଛି । ଏହାଦ୍ୱାରା ପ୍ରକୃତ ଚାଷୀଙ୍କୁ ସୁନିଶ୍ଚିତ କରାଯାଇପାରୁଛି । ଯୋଜନା ନିମନ୍ତେ ୨୦୨୩-୨୪ ଆର୍ôଥକ ବର୍ଷରେ ୬୦ କୋଟି ୮୪ ଲକ୍ଷ ୮୧ ହଜାର ଟଙ୍କାର ପ୍ରସ୍ତାବ ଦିଆଯାଇଛି । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ଖାଉଟି ସୁରକ୍ଷା ଆୟୋଗ କୋର୍ଟର ମାମଲା ରେକର୍ଡଗୁଡିକୁ ଡିଜିଟାଇଜ୍ କରିବାକୁ ଯାଉଛି । ପାଖାପାଖି ୪୦୦୦ ନ୍ୟାୟିକ ରେକର୍ଡ ଡିଜିଟାଇଜେସନ୍ ହେବ । ଏଦ୍ୱାରା କୋର୍ଟର ଶୁଣାଣି ସହଜ ହେବ । ପ୍ରତି କେସ୍ ରେକର୍ଡଗୁଡିକ ପ୍ରାୟ ୧୦୦ ପୃଷ୍ଠାର ଅଛି । ଏହା କୋର୍ଟରେ କାଗଜ କାର୍ଯ୍ୟର ବ୍ୟବହାରକୁ ହ୍ରାସ କରିବ ଏବଂ ଅଗ୍ନି ଓ ଚୋରିରୁ ସୁରକ୍ଷିତ ରହିବ । ତଥ୍ୟଗୁଡିକ ଡିଜିଟାଇଜ୍ ହେବାଦ୍ୱାରା ଏହା ସୁରକ୍ଷିତ ଓ ଆବଶ୍ୟକ ସମୟରେ ଉପଲବ୍ଧ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ ।