ବେକାରୀଜନିତ ଆତ୍ମହତ୍ୟାରେ ଓଡ଼ିଶା ନବମ: ଗୋଟିଏ ବର୍ଷରେ ନିଯୁକ୍ତି ନପାଇ ଜୀବନ ହାରିଛନ୍ତି ୮୮

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଶିକ୍ଷିତ ଯୁବପିଢ଼ିଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ସେହି ତୁଳନାରେ ରାଜ୍ୟରେ ବେକାରୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ନିଜର ଯୋଗ୍ୟତା ଅନୁଯାୟୀ ଚାକିରି ନମିଳିବାରୁ ଅନେକ ଯୁବପୀଢ଼ି ଚିନ୍ତାଗ୍ରସ୍ତ ହୋଇପଡୁଛନ୍ତି। ସେମାନେ ମାନସିକସ୍ତରରେ ଭାଙ୍ଗି ପଡୁଛନ୍ତି। ଶେଷରେ ସେମାନେ ଆତ୍ମହତ୍ୟାର ରାସ୍ତାକୁ ବାଛୁଥିବା ଜଣାପଡ଼ିଛି। ନିକଟରେ ପ୍ରକାଶ ପାଇଥିବା ଏନସିଆରବି ରିପୋର୍ଟ ଅନୁସାରେ ବେକାରୀଜନିତ ଆତ୍ମହତ୍ୟା କ୍ଷେତ୍ରରେ ଓଡ଼ିଶା ନବମ ସ୍ଥାନରେ ରହିଛି।

ସେହିପରି ପ୍ରଥମ ସ୍ଥାନରେ ମହାରାଷ୍ଟ୍ର, ଦ୍ୱିତୀୟରେ ଗୁଜରାଟ, ତୃତୀୟରେ ତାମିଲନାଡୁ ରହିଛି। ରିପୋର୍ଟ ଅନୁସାରେ, ୨୦୧୬ ମସିହାରେ ରାଜ୍ୟରେ ୮୮ଜଣ ଚାକିରି ନ ପାଇ ଆତ୍ମହତ୍ୟା କରିଥିଲେ। ଏଥିମଧ୍ୟରୁ ୭୬ ଜଣ ଯୁବକ ହୋଇଥିବାବେଳେ, ୧୨ ଜଣ ଯୁବତୀ ରହିଛନ୍ତି। ସେହିପରି ସମଗ୍ର ଦେଶରେ ୨୦୧୬ ମସିହାରେ ୨୨୯୮ଜଣ ଚାକିରି ନପାଇ ଆତ୍ମହତ୍ୟା କରିଛନ୍ତି। ସେଥିମଧ୍ୟରୁ ୨୦୫୧ଜଣ ଯୁବକ ରହିଥିବାବେଳେ, ୨୪୭ ଜଣ ଯୁବତୀ ରହିଛନ୍ତି। ତେବେ ୨୦୧୫ରେ ୨୭୨୩ ଜଣ ଚାକିରି ନପାଇ ଆତ୍ମହତ୍ୟା କରିଥିଲେ। ୨୦୧୫ ଓ ୨୦୧୬ ତଥ୍ୟକୁ ତୁଳନା କଲେ ଦେଶରେ ବେକାରୀଜନିତ ଆତ୍ମହତ୍ୟାର ସଂଖ୍ୟା ହ୍ରାସ ପାଇଛି।

ସେହିପରି ବେକାରୀଜନିତ ଆତ୍ମହତ୍ୟାରେ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ରହିଛି। ମହାରାଷ୍ଟ୍ରରେ ୨୦୧୬ମସିହାରେ ୪୦୩ଜଣ ଚାକିରି ନପାଇ ଆତ୍ମହତ୍ୟା କରିଥିଲେ। ସେମାନଙ୍କ ମଧ୍ୟରୁ ୩୮୮ଜଣ ପୁରୁଷ ରହିଥିବାବେଳେ, ୧୫ଜଣ ମହିଳା ରହିଥିଲେ। ୨୦୧୬ମସିହାରେ ଗୁଜରାଟରେ୨୯୫, ତାମିଲନାଡୁରେ ୨୫୯, କର୍ଣ୍ଣାଟକରେ ୨୨୪, ଆସାମ ୨୧୦, କେରଳ ୧୨୭, ପଶ୍ଚିମବଙ୍ଗରେ ୧୦୯ ଏବଂ ମଧ୍ୟପ୍ରଦେଶରେ ୧୦୦ଜଣ ଚାକିରି ନପାଇ ଆତ୍ମହତ୍ୟା କରିଛନ୍ତି। ଏହାପରକୁ ଓଡ଼ିଶା ରହିଛି।

ସୂଚନା ଅନୁଯାୟୀ, ଭାରତ ସରକାରଙ୍କ ଏନଏସଓ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୧୮-୧୯ ଆର୍ଥିକ ବର୍ଷର ଶେଷ ତିନିମାସରେ ଜାତୀୟ ହାରକୁ ବହୁ ପଛରେ ପକାଇ ପୁରୁଷ ବେକାର କ୍ଷେତ୍ରରେ ଓଡ଼ିଶା ଏକନମ୍ବର ସ୍ଥାନ ହାସଲ କରିଛି। ତେବେ ମହିଳାଙ୍କ କ୍ଷେତ୍ରରେ ଓଡ଼ିଶା ବେକାରୀରେ ୫ମ ସ୍ଥାନରେ ରହିଛି। ଉଭୟ ମହିଳା ଓ ପୁରୁଷଙ୍କୁ ହିସାବ କଲେ ସମଗ୍ର ଦେଶରେ ବେକାରିରେ ତୃତୀୟ ସ୍ଥାନରେ ଓଡ଼ିଶା। ରାଜ୍ୟରେ ସାମଗ୍ରିକ ୩୩.୮ ପ୍ରତିଶତ ବେକାରି ରହିଛନ୍ତି।

ଏଥିମଧ୍ୟରୁ ୩୨ ପ୍ରତିଶତ ପୁରୁଷ ରହିଥିବାବେଳେ, ୩୯.୨ ପ୍ରତିଶତ ମହିଳା ବେକାରି ଅଛନ୍ତି। ଯାହା ଏବେ ଚିନ୍ତାଜନକ ସ୍ଥିତିରେ ରହିଛି। ଏ ନେଇ ବିଭିନ୍ନ ସ୍ୱଚ୍ଛାସେବୀ ସଂଗଠନଗୁଡ଼ିକ ପକ୍ଷରୁ ସର୍ଭେକ୍ଷଣ କରାଯିବା ସହ ବେକାରି ସମସ୍ୟା ଦୂର କରିବା ଦିଗରେ ପ୍ରସ୍ତାବ ମଧ୍ୟ ଦିଆଯାଇଛି। ଏକ ଅମର୍ଥିତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ କିଛିବର୍ଷ ମଧ୍ୟରେ ରାଜ୍ୟରେ ଧିମା ଶିଳ୍ପାୟନ ଯୋଗୁଁ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ପଛରେ ପଡ଼ି ଯାଇଛି। ଯେଉଁଥିପାଇଁ ରାଜ୍ୟରେ ବେକାରିଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି କୁହାଯାଇଛି।