ଓଡ଼ିଶା ପୁଲିସରେ ନିଯୁକ୍ତ ହେବେ ୪୭୭ ଏସ୍‌ଆଇ, ୨୪୪ କନଷ୍ଟେବଳ; କିନ୍ନରଙ୍କୁ ମିଳିବ ସୁଯୋଗ

କଟକ,ଏନ୍‌ଏନ୍‌ଏସ୍ : ଓଡ଼ିଶା ପୁଲିସରେ ୪୭୭ ସବ ଇନ୍ସପେକ୍ଟର ଓ ୨୪୪ କନଷ୍ଟେବଳ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହିସବୁ ପଦବୀ ପାଇଁ ଏଥର କିନ୍ନରମାନେ ମଧ୍ୟ ଆବେଦନ କରିପାରିବେ ବୋଲି ପୁଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି। ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୨୨ ତାରିଖଠାରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଇଚ୍ଛୁକ ପ୍ରାର୍ଥୀମାନେ ଅନ୍‌ଲାଇନ ଜରିଆରେ ଆବେଦନ କରିପାରିବେ।

ଯେଉଁମାନେ ଏସଆଇ ପଦବୀ ପାଇଁ ଆବେଦନ କରିବେ ସେମାନଙ୍କର ସର୍ବ ନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ପାସ୍ ହୋଇଥିବ ଓ ୨୦୨୧ ଜାନୁଆରୀ ୧ ତାରିଖ ସୁଦ୍ଧା ସେମାନଙ୍କ ବୟସ ୨୧ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ତେବେ ଅନୁସୂଚିତ ଜାତି/ଜନଜାତି, ଏସଇବିସି ଓ ମହିଳାମାନଙ୍କ ପାଇଁ ବୟସ ୫ ବର୍ଷ କୋହଳ ରହିଛି। ଚଳିତ ବର୍ଷ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଥିବା ଡିଜି କହିଛନ୍ତି। ଗୋଟିଏ ଲିଖିତ ପରୀକ୍ଷା ହେବ ଓ ସେଥିରେ ମଲଟିପଲ ଚଏସ ପ୍ରଶ୍ନ ରହିବ। ସେହିପରି କମ୍ୟୁନିକେସନ କନଷ୍ଟେବଳ ପାଇଁ ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ବୟସ ୨୦୨୧ ଜାନୁଆରୀ ୧ ତାରିଖ ସୁଦ୍ଧା ବୟସ ୧୮ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

କମ୍ୟୁନିକେସନ କନଷ୍ଟେବଳ ପଦବୀ ପାଇଁ ଯୁକ୍ତ ଦୁଇ ପାସ ହୋଇଥିବା ଓ ରାଜ୍ୟ ସରକାରଙ୍କ ଯେ କୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ କମ୍ପ୍ୟୁଟର ଆପ୍ଲିକେସନରେ ଡିପ୍ଲୋମା କରିଥିବା ଆବଶ୍ୟକ। ଏଥିସହ ସେମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା ଦେବାକୁ ପଡ଼ିବ ବୋଲି ଡିଜିପି ଶ୍ରୀ ଅଭୟ ସୂଚନା ଦେଇଛନ୍ତି। ଓଡ଼ିଶା ପୁଲିସରେ ଯୋଗ ଦେଇ ସମାଜର ସେବା କରିବାକୁ ଆଗେଇ ଆସିବା ପାଇଁ ଡିଜି ଯୁବ ବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି।