ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ ୨୦୨୦ ପାରିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଧାନସଭାରେ ପାରିତ ହେଲା ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ ୨୦୨୦। ଏହାଦ୍ୱାରା ମ୍ୟାରିଟାଇମ୍ ବୋର୍ଡ ଗଠିତ ହେବ। ଏଥିରେ ୧୨ ସଦସ୍ୟ ଓ ଏହାର ଅଧ୍ୟକ୍ଷ ଭାବରେ ମୁଖ୍ୟ ଶାସନ ସଚିବ ରହିବେ। ସଦସ୍ୟ ସଚିବ ରହିବେ ବାଣିଜ୍ୟ ପରିବହନ ସଚିବ। ଶିଳ୍ପ ବାଣିଜ୍ୟ ପରିବହନ ସଚିବ, ରାଜସ୍ୱ ସଚିବ, ନୌସେନାର ଜଣେ ପ୍ରତିନିଧି ଓ ପୋର୍ଟ କ୍ଷେତ୍ରରେ ଦକ୍ଷତା ଥିବା ଜଣେ ବିଶେଷଜ୍ଞଙ୍କୁ ଏଥିରେ ସଦସ୍ୟ ଭାବରେ ରଖାଯିବ।

ଏହି ବୋର୍ଡ ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମୋର୍ଡରେ ବନ୍ଦରର ବିକାଶ, ନିର୍ମାଣ ଓ ରକ୍ଷଣାବେକ୍ଷଣ, ଜାହାଜ ଚଳାଚଳ, ମାଲ ପରିବହନ ଓ ଜଳ ପଥର ଉନ୍ନତି କରଣ କାର୍ଯ୍ୟ କରିବ। ଏଥିସହିତ ସମନ୍ୱିତ ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହେବ। ଯେବେ ବୋର୍ଡ ନିୟମ ଖିଲାପ କରି କାର୍ଯ୍ୟ କରୁଥିବା ରାଜ୍ୟ ସରକାର ଅନୁଭବ କଲେ ବୋର୍ଡକୁ ଭଙ୍ଗି ଦିଆଯିବ। ଏନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

ସେହିପରି ୧୪ଟି ଅଣ ବୃହତ୍ ବନ୍ଦର ପାଇଁ ସ୍ଥାନ ଚିହ୍ନଟ ହୋଇଛି। ଧାମରା, ଗୋପାଳପୁର କାର୍ଯ୍ୟକ୍ଷମ ହୋଇଛି। ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖାରେ କାମ ଚାଲିଛି। ଧାମରାରୁ ୪ଶହ କୋଟି ଟଙ୍କା ଓ ଗୋପାଳପୁରରୁ ଶହେ କୋଟି ଟଙ୍କା ରାଜସ୍ୱ ଆସୁଛି। ବିଲକୁ ବିଜେପି ସମର୍ଥନ କରିଥିଲେ ସୁଦ୍ଧା କିଛି ଅଂଶରେ ସଂଶୋଧନ ଦାବି କରିଥିଲା। ସେହିପରି କଂଗ୍ରେସ୍ ଏହି ପ୍ରସ୍ତାବକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଛି।