ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ‘ଧର୍ମପଦ ପୁରସ୍କାର’ ପ୍ରଦାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ୨୦୦୫ରୁ ୨୦୧୫ ମସିହା ପାଇଁ ଯୋଗ୍ୟ ବିବେଚିତ ୭ଜଣ ବରିଷ୍ଠ ଶିଳ୍ପୀଙ୍କୁ ସେମାନଙ୍କ ଆଜୀବନ ସାଧନାର ପ୍ରତୀକସ୍ୱରୂପ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ପ୍ରଦାନ କରାଯାଇଛି। କୋଭିଡ ସଚେତନତାକୁ ଦୃଷ୍ଟିରେ ରଖି ସଂସ୍କୃତ ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରତ୍ୟେକ ଶିଳ୍ପୀଙ୍କ ବାସଭବନକୁ ଯାଇ ୧ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ସହ ତାମ୍ରଫଳକ ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରିଥିଲେ। ସମ୍ମାନିତ ହୋଇଥିବା ଶିଳ୍ପୀମାନେ ହେଲେ, ୨୦୦୯ ପାଇଁ ସ୍ୱର୍ଗତ ଗୋକୁଳ ବିହାରୀ ପଟ୍ଟନାୟକ (ମରଣୋତ୍ତର ଭାବେ ତାଙ୍କ ପତ୍ନୀ ଅନସୂୟା ପଟ୍ଟନାୟକ), ୨୦୧୦ ପାଇଁ ସ୍ୱର୍ଗତ ଅସୀମ ବସୁ (ମରଣୋତ୍ତର ଭାବେ ତାଙ୍କ ପତ୍ନୀ ଗୀତା ବସୁ), ୨୦୧୧ ପାଇଁ ଡା. ଦୁର୍ଗା ପ୍ରସାଦ ଦାସ, ୨୦୧୨ ପାଇଁ ପଦ୍ମଶ୍ରୀ ସୁଦର୍ଶନ ସାହୁ, ୨୦୧୪ ପାଇଁ ସ୍ୱର୍ଗତ ଦୀନନାଥ ପାଠୀ (ମରଣୋତ୍ତର ଭାବେ ତାଙ୍କ ପୁତ୍ର ସୌଭାଗ୍ୟ ପାଠୀ) ଓ ୨୦୧୫ ପାଇଁ ପଦ୍ମଭୂଷଣ ରଘୁନାଥ ମହାପାତ୍ର। ତେବେ ୨୦୧୩ ମସିହା ପାଇଁ ପଦ୍ମଭୂଷଣ ଯତୀନ ଦାସ ଦିଲ୍ଲୀରେ ଅବସ୍ଥାନ କରୁଥିବାରୁ ତାଙ୍କୁ ପତ୍ରଯୋଗେ ଯୋଗାଯୋଗ କରାଯାଇଥିବାବେଳେ ସେ ପୁରସ୍କାର ସାଦରରେ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ପୁରସ୍କାର ପ୍ରଦାନ ସମୟରେ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ ଓ ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ ଉପସ୍ଥିତ ଥିଲେ।