ବର୍ଷରେ ବେହାଲ ସାରା ଓଡ଼ିଶା

କନ୍ଧମାଳ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବା ବେଳେ ଶନିବାର ସକାଳ ୮ଟା ସୁଦ୍ଧା ଦାରିଙ୍ଗବାଡ଼ିରେ ୮୮ମିମି ବର୍ଷା ରେକର୍ଡ଼ କରାଯାଇଛି। ଗତକାଲି ଠାରୁ ଜିଲ୍ଲାପାଳ ଡ.ବୃନ୍ଦା ଡି. ଆଜି ସକାଳୁ ପ୍ରବଳ ବର୍ଷା ଯୋଗୁଁ ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ବିଭିନ୍ନ ପଞ୍ଚାୟତରେ ବର୍ତ୍ତମାନ ରାସନ ସାମଗ୍ରୀ ବଣ୍ଟନ କରାଯାଉଥିବା ବେଳେ ସିମନବାଡ଼ି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସାମଗ୍ରୀ ନେବା ପାଇଁ ପ୍ରବଳ ବର୍ଷାରେ ହିତାଧିକାରୀମାନେ ଲମ୍ବା ଲାଇନ ଲଗାଇଛନ୍ତି।

ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ବର୍ଷା ଜଳ ଓ ଡ୍ରେନେଜ ପାଣି ପଶିଯିବାରୁ ରୋଗୀଙ୍କୁ ଉପର ମହଲା ସର୍ଜରୀ ବିଭାଗକୁ ସ୍ଥାନାନ୍ତରଣ କରାଯାଇଛି। ସେହିପରି ସୁବର୍ଣ୍ଣପୁରରେ ଲଗାଣ ବର୍ଷା ଯୋଗୁଁ ବନ୍ୟ ପରିସ୍ଥିତ ସୃଷ୍ଟି ହୋଇଛି। ବାଉରୀଯୋର ସେତୁ ଉପରେ ୫ଫୁଟର ବର୍ଷା ଜଳ ପ୍ରବାହ ହେଉଥିବାବେଳେ ରେଢ଼ାଖୋଲ, ଆଠମଲ୍ଲିକ ଓ ବୌଦ୍ଧକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଛତ୍ରପୁରରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ଡାଇଭର୍ସନ ରୋଡ଼ ଧୋଇଯାଇଛି।

ରାମନାଗୁଡା ବ୍ଳକ ପାରିଖିତି ପଞ୍ଚାୟତର ଖିଲାପଦର ଗ୍ରାମରେ ଲଗାଣ ବର୍ଷାରେ ଘର ଭୁଶୁଡି ୨ପରିବାର ବାସହରା ହୋଇପଡି଼ଛନ୍ତି। ଖବରରପାଇ ରାଜସ୍ବ ନିରୀକ୍ଷକ ଅଙ୍କୁର ଶବର, ତହସିଲଦାର ଜୟଶ୍ରୀ ମଲ୍ଲିକ ଉକ୍ତ ପରିବାରକୁ ଭେଟିବା ସହ ସରକାରଙ୍କ ରିଲିଫ କୋର୍ଡ଼ ଅନୁଯାୟୀ ସମସ୍ତ ପ୍ରକାର ବନ୍ଦୋବସ୍ତ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।