ହାଇକୋର୍ଟ ବାର୍ ଆଇନଜୀବୀଙ୍କ କୋର୍ଟ ବର୍ଜନ ମାମଲା: ବାର୍ ସଭାପତି ଓ ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

କଟକ,ଏନ୍ଏନ୍ଏସ୍: ଓଡିଶା ହାଇକୋର୍ଟରେ ନିୟମିତ ଓକିଲାତି କରୁନଥିବା ଓକିଲଙ୍କ ନାମ କଲେଜିୟମ୍ ପକ୍ଷରୁ ବିଚାରପତି ପଦବୀ ପାଇଁ ସୁପାରିଶ କରିବା ପ୍ରସଙ୍ଗରେ ହାଇକୋର୍ଟ ବାର୍ ପକ୍ଷରୁ କୋର୍ଟ ବର୍ଜନ ଜାରି ରହିଥିବାବେଳେ ଏଥିଯୋଗୁ ସୃଷ୍ଟି ହୋଇଥିବା ଅଚଳାବସ୍ଥା ସମ୍ପର୍କରେ ସୁପ୍ରିମକୋର୍ଟ ଆଜି ହାଇକୋର୍ଟ ବାର୍ ସଭାପତି, ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି ଏଥିସହ ସେମାନଙ୍କୁ ଆସନ୍ତା ନଭେମ୍ବର ୮ ତାରିଖରେ ବ୍ୟକ୍ତିଗତ ହାଜର ହେବାକୁ ଅଦାଲତ କହିଛନ୍ତି।

ସୁପ୍ରିମକୋର୍ଟର ବିଚାରପତି ସଞ୍ଜୟ କିଶାନ କାଉଲ ଏବଂ ବିଚାରପତି କେ.ଏମ୍ ଯୋଶେଫ୍ ଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ବାର୍ କାଉନ୍ ସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି। ସେହିପରି ଏହି ମାମଲାରେ ସୁପ୍ରିମ୍କୋର୍ଟରେ ପକ୍ଷ ରଖିଥିବା ସରକାରୀ ଓକିଲ ଶିବ ଶଙ୍କର ମିଶ୍ରଙ୍କୁ ହାଇକୋର୍ଟ ବାର୍ ପକ୍ଷରୁ ବହିଷ୍କାର ଓ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ପ୍ରସ୍ତାବ ଉପରେ ମଧ୍ୟ ସର୍ବୋଚ୍ଚ ଅଦାଲତ ରହିତାଦେଶ ଜାରି କରିଛନ୍ତି।

ଅନ୍ୟପକ୍ଷରେ ୨୦୧୮-୧୯ରେ ଓଡିଶା ହାଇକୋର୍ଟ ଓ ଜିଲ୍ଲା ଓ ଦୌରାଜଜ୍ ଅଦାଲତ ସମେତ ସମସ୍ତ ନିମ୍ନ ଅଦାଲତରେ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ କେତେ ସଂଖ୍ୟକ କାର୍ଯ୍ୟ ଦିବସ ନଷ୍ଠ ହୋଇଛି ସେ ସମ୍ପର୍କରେ ତଥ୍ୟ ଦେବାକୁ ବାର୍ କାଉନ୍ସିଲ୍ ଅଧ୍ୟକ୍ଷଙ୍କୁ ମଧ୍ୟ କହିଛନ୍ତି। ପୁନଶ୍ଚ ହାଇକୋର୍ଟରେ ମହକିଲ ଓ ଯେଉଁ ଆଇନଜୀବୀମାନେ କୋର୍ଟରେ ମାମଲା ପରିଚାଳନା କରିବାକୁ ଚାହୁଁଛନ୍ତି ତାଙ୍କୁ ମଧ୍ୟ ସୁରକ୍ଷା ଦେବାକୁ ଅଦାଲତ କହିଛନ୍ତି। ଆସନ୍ତା ନଭେମ୍ବର ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଗତ ଥର ଶୁଣାଣିବେଳେ କେନ୍ଦ୍ର ସରକାରଙ୍କୁ ହୋଇଥିବା ନୋଟିସ୍ ସମ୍ପର୍କରେ ଆଜି ମାମଲାର ଶୁଣାଣିବେଳେ ଆଟୋର୍ଣ୍ଣି ଜେନେରାଲ୍ ଉପସ୍ଥିତ ରହି ପକ୍ଷ ରଖିଥିଲେ। ଅଦାଲତ ଅନୁଭବ କରିଥିଲେ ଯେ ଏପରି ଆନ୍ଦୋଳନ ଫଳରେ ସାଧାରଣ ଜନତାଙ୍କ ପାଇଁ ଆକ୍ସେସ୍ ଟୁ ଜଷ୍ଟିସ୍ ମିଳୁନାହିିଁ। ଓଡିଶା ସରକାରଙ୍କ ପକ୍ଷରୁ ଆଇନଜୀବୀ ଦର୍ଶାଇଥିଲେ ଯେ ଏପରିସ୍ଥିତିରେ ଉଭୟ ମହକିଲ ଓ ଯେଉଁ ଆଇନଜୀବୀମାନେ ମାମଲା ପରିଚାଳନା କରିବାକୁ ଚାହୁଁଛନ୍ତି ସେମାନଙ୍କ ସୁରକ୍ଷା ନିମନ୍ତେ ହାଇକୋର୍ଟ ଓ ଜିଲ୍ଲା ଓ ଦୌରାଜଜ୍ ଅଦାଲତ ପରିସରରେ ପୁଲିସ୍ ସୁରକ୍ଷା ଯୋଗାଇ ଦିଆଯିବ।

ଶୁଣାଣିବେଳେ ଓଡିଶା ହାଇକୋର୍ଟରେ ନିୟମିତ ଓକିଲାତି କରୁନଥିବା ଆଇନଜୀବୀଙ୍କ ନାମ କଲେଜିୟମ୍ ପକ୍ଷରୁ ବିଚାରପତି ପଦବୀ ପାଇଁ ସୁପାରିଶ କରିବା ପ୍ରସଙ୍ଗକୁ ନେଇ ଆଇନଜୀବୀ କୋର୍ଟ ବର୍ଜନ ଆନ୍ଦୋଳନ କରୁଛନ୍ତି ବୋଲି ଅଦାଲତଙ୍କୁ ଅବଗତ କରାଯାଇଥିଲା। ଏହି ପ୍ରସଙ୍ଗରେ ଆଟୋର୍ଣ୍ଣି ଜେନେରାଲ୍ ସର୍ବୋଚ୍ଚ ଅଦାଲତଙ୍କ ଭିନ୍ନ ଭିନ୍ନ ରାୟର ଅବତାରଣା କରିଥିଲେ। ସେହିପରି ଲ କମିଶନଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଯଥାର୍ଥ କାରଣ ନଥାଇ ଏପରି ଆନ୍ଦୋଳନ ଯୋଗୁ ସର୍ବାଧିକ କାର୍ଯ୍ୟଦିବସ ନଷ୍ଟ ହେଉଛି। ଏହି ମର୍ମରେ ସର୍ବୋଚ୍ଚ ଅଦାଲତ ହାଇକୋର୍ଟ ଓ ଅନ୍ୟାନ୍ୟ ନିମ୍ନ ଅଦାଲତରେ ଏପରି ଆନ୍ଦୋଳନ ଫଳରେ କେତେ କାର୍ଯ୍ୟ ଦିବସ ନଷ୍ଟ ହୋଇଛି ସେ ସମ୍ପର୍କରେ ନଭେମ୍ବର ୬ ତାରିଖ ପୂର୍ବରୁ ସତ୍ୟପାଠ ମାଧ୍ୟମରେ ଜବାବ ଦେବାକୁ ରାଜ୍ୟ ସରକାରଙ୍କ ଆଇନଜୀବୀଙ୍କୁ ମଧ୍ୟ କହିଛନ୍ତି।

ସେହିପରି ଏହି ମାମଲାରେ ସହାୟତା କରିବା ନିମନ୍ତେ ସର୍ବୋଚ୍ଚ ଅଦାଲତ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷଙ୍କୁ ମଧ୍ୟ ଅଦାଲତରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଆଇନଜୀବୀମାନେ ଏପରି ବ୍ୟବହାର କରୁଛନ୍ତି ସେମାନଙ୍କ ବିରୋଧରେ କି ପ୍ରକାରର ପଦକ୍ଷେପ ଗ୍ରହଣ କରାଯିବ ସେ ସମ୍ପର୍କରେ ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷଙ୍କୁ ସତ୍ୟପାଠ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଓକିଲ ଓ ମହକିଲଙ୍କୁ ସୁରକ୍ଷା ପ୍ରଦାନ ସମ୍ପର୍କରେ ହାଇକୋର୍ଟ ରେଜିଷ୍ଟ୍ରାର୍ଙ୍କୁ ପୂର୍ବରୁ ଅବଗତ କରାଗଲେ ସେ ହାଇକୋର୍ଟରେ ସଂପୃକ୍ତ ମହକିଲ ଓ ଓକିଲଙ୍କୁ ପୁଲିସ୍ ସୁରକ୍ଷା ଯୋଗାଇଦେବେ ବୋଲି ଖଣ୍ଡପୀଠ କହିଛନ୍ତି।

ସୂଚନାଥାଉକି ଓଡିଶା କଲେଜିୟମ୍ ସୁପାରିସ ପ୍ରସଙ୍ଗକୁ ନେଇ ହାଇକୋର୍ଟ ବାର୍ ପକ୍ଷରୁ କୋର୍ଟ ବର୍ଜନ ଆନ୍ଦୋଳନ ଜାରି ରହିଛି। ଏଥିଯୋଗୁ ହୋଇଥିବା ଅଚଳାବସ୍ଥାକୁ ସୁପ୍ରିମକୋର୍ଟ ଗୁରୁତର ସହ ନେଇ ଦର୍ଶାଇଥିଲେ ଯେ ନ୍ୟାୟିକ ବ୍ୟବସ୍ଥାକୁ ଏପରି ଭାବରେ ଅଚଳ କରିବାକୁ ଛାଡି ଦିଆଯିବ ନାହିିଁ। କୋର୍ଟ କାର୍ଯ୍ୟ ସ୍ୱାଭାବିକ କରିବାକୁ ଓଡିଶା ହାଇକୋର୍ଟ ଏ ନେଇ କି ପଦକ୍ଷେପ ଗ୍ରହଣ କରିଛନ୍ତି ମାମଲାର ଶୁଣାଣିବେଳେ ସେ ସମ୍ପର୍କରେ ଖଣ୍ଡପୀଠ ଜାଣିବାକୁ ଚାହିିଁଥିଲେ। ଏପରିକି ହାଇକୋର୍ଟ କାର୍ଯ୍ୟ ସ୍ୱାଭାବିକ କରିବାକୁ ସ୍ଥାନୀୟ ପୁଲିସ୍ ଯଦି ସୁରକ୍ଷା ଯୋଗାଇବାକୁ ସକ୍ଷମ ନ ହୁଏ ତେବେ ଆବଶ୍ୟକ ପଡିଲେ ଓଡିଶା ହାଇକୋର୍ଟରେ ମଧ୍ୟ ପାରା ମିଲିଟାରୀ ଫୋର୍ସ ମୁତୟନ କରିବାକୁ ଖଣ୍ଡପୀଠ କହିଥିଲେ।

ମାମଲାର ଶୁଣାଣିବେଳେ ଓଡିଶା ହାଇକୋର୍ଟର ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏ ସମ୍ପର୍କରେ ଏକ ରିପୋର୍ଟ ଦାଖଲ କରାଯାଇ ଦର୍ଶାଯାଇଥିଲା ଯେ ଓଡିଶା ହାଇକୋର୍ଟରେ କୌଣସି ସମସ୍ୟା ନାହିିଁ। ସେ କହିଥିଲେ ଯେ ଯଦିଓ ଆଇନଜୀବଙ୍କ କୋର୍ଟ ବର୍ଜନ ସମ୍ପର୍କରେ ହାଇକୋର୍ଟ ନିଜ ଆଡୁ ଏକ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି ଏହା ସତ୍ତେ୍ୱ ବି ଆଇନଜୀବୀମାନେ କୋର୍ଟ ବର୍ଜନ ଜାରି ରଖିଛନ୍ତି ।

ସୁପ୍ରିମ୍କୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ଗତ ୨୩ ତାରିଖରେ ହାଇକୋର୍ଟ ବାର୍ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିରେ ସରକାରୀ ଓକିଲ ଥିବା ହାଇକୋର୍ଟର ଆଇନଜୀବୀ ଶିବ ଶଙ୍କର ମିଶ୍ର ସର୍ବୋଚ୍ଚ ଅଦାଲତରେ ଭୂଲ ତଥ୍ୟ ଉପସ୍ଥାପନ କରିଥିବାରୁ ବାର୍ ପକ୍ଷରୁ ଏହାକୁ ନିନ୍ଦା କରାଯାଇଥିଲା। ତାଙ୍କୁ ଏପରି ଘଟଣାରେ କାହିିଁକି ବାର୍ରୁ ବହିଷ୍କାର କରାନଯିବ ସେ ସମ୍ପର୍କରେ ନୋଟିସ୍ ଜାରି କରାଯିବା ସହ କାରଣ ଦର୍ଶାଇବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତିି ନିଆଯାଇଥିଲା।