ବିହାର ବନ୍ୟା ପାଇଁ ସହାୟତା କରିବ ଓଡିଶା

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଗୁରୁବାର ନବୀନ ବିହାରରେ ବନ୍ୟା ପରିସ୍ଥିତି ନେଇ ପଚାରି ବୁଝିଛନ୍ତି। ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ଯେକୌଣସି ସହଯୋଗ ପାଇଁ ବିହାର ମୁଖ୍ୟମନ୍ତ୍ରୀଙ୍କ ଆଗରେ ନିଜପଟୁ ପ୍ରସ୍ତାବ ରଖିଛନ୍ତି ନବୀନ।

ସୂଚନାଯୋଗ୍ୟ ଯେ ଗତ ସପ୍ତାହକ ମଧ୍ୟରେ ବିହାର ଓ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ହେବା ଫଳରେ ୮୬ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି। ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଓ ବିହାରର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇ ଜନଜୀବନକୁ ବିପର୍ଯ୍ୟସ୍ତ କରିଛି। ବର୍ଷାଜଳ ନିଷ୍କାସନ ହୋଇନପାରି ହଜାର ହଜାର ଲୋକଙ୍କ ଯାତାୟାତରେ ପ୍ରତିବନ୍ଧକ ସୃଷ୍ଟି କରିଛି। ପରିସ୍ଥିତି ଏପରି ହୋଇଛି ଯେ ପାଟନାବାସୀଙ୍କୁ ଉଦ୍ଧାର ଓ ଥଇଥାନ କରିବା ପାଇଁ ଉଦ୍ଧାରକାରୀ ଟିମ୍ ପକ୍ଷରୁ ସଡ଼କରେ ଡଙ୍ଗା ଚଳାଇବାକୁ ପଡୁଛି। ବିହାରରେ ବହୁ ନଦୀରେ ବନ୍ୟାଜଳ ବୃଦ୍ଧି ପାଉଥିବାରୁ ବହୁ ସହର ଓ ଗ୍ରାମ ପ୍ରତି ବିପଦର ଆଶଙ୍କା କରାଯାଉଛି। ପାଟନାରେ ଗଙ୍ଗାନଦୀର ବନ୍ୟାଜଳ କୂଳ ଲଙ୍ଘନ କରିବା ଫଳରେ ବହୁ ଅଞ୍ଚଳ ବୁଡ଼ିଯାଇଛି।(ରଂଜନ)