ଦୁର୍ନୀତି ପ୍ରତି ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ନୀତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜସ୍ୱ ବିଭାଗରେ ଗତ ୩ମାସ ମଧ୍ୟରେ ୧୧ଜଣ ବରିଷ୍ଠ ଓଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୁଇ ଜଣଙ୍କୁ ଚାକିରିରୁ ବିଦା କରାଯାଇଥିବା ବେଳେ ୯ଜଣଙ୍କ ପେନସନ ଓ ଗ୍ରାଚୁଇଟି ବନ୍ଦ କରାଯାଇଛି। ବହିଷ୍କାର ହୋଇଥବା ଅଧିକାରୀ ହେଲେ ବଲାଙ୍ଗିର ଲେଇସିଙ୍ଗାର ପୂର୍ବତନ ତହସିଲଦାର ବିଜୟିନୀ ବିଶ୍ୱାଳ ଓ କୋମନା ବ୍ଲକର ବିଡିଓ ପ୍ରଦୀପ କୁମାର ବେହେରା।

ସେହିପରି ମୟୁରଭଞ୍ଜର ପୂର୍ବତନ ଡିପିସି ବଂଶୀଧର ନାଏକ, ପୂର୍ବତନ ବିଡିଓ ଗଣେଶ ପ୍ରସାଦ ନାଏକ, ପୂର୍ବତନ ତହସିଲଦାର ସନ୍ତୋଷ କୁମାର ମହାନ୍ତି, ପୂର୍ବତନ ପୁରୀ ତହସିଲଦାର ପ୍ରଭାତ କୁମାର ମହାରଣା, ନୂଆପଡ଼ାର ପୂର୍ବତନ ବିଡିଓ ସୁନୀଲ କୁମାର ସାହୁ, ବାଲେଶ୍ୱରର ପୂର୍ବତନ ତହସିଲଦାର ନିରାକାର ପରିଡ଼ା, ବରଗଡ଼ ମୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ନବୀନ ସେଠ୍, ନୟାଗଡ଼ ଖଣ୍ଡପଡ଼ାର ପୂର୍ବତନ ବିଡିଓ ସନାତନ ସେଠୀ ଏବଂ ପୂର୍ବତନ ଆଞ୍ଚଳିକ ପରିବହନ ଅଧିକାରୀ ପୁରନ୍ଦର ପୁଝାରୀଙ୍କ ପେନସନ ବନ୍ଦ କରାଯାଇଛି।

ରାଜସ୍ୱ ବିଭାଗରେ ୭୩ଜଣ ଓଏସ୍ ଏବଂ ବରିଷ୍ଠ ଅଧିକାରୀଙ୍କ ନାଁରେ ଦୁର୍ନୀତି ଅଭିଯୋର ତଦନ୍ତ ଚାଲିଥିବା ଜଣାଯାଇଛି। ଏନେଇ ୨୦୧୭ ଜୁଲାଇରେ ତତ୍କାଳୀନ ରାଜସ୍ୱ ବିଭାଗ ପ୍ରମୁଖ ସଚିବ ଚନ୍ଦ୍ରଶେଖର କୁମାର ୧୨ଟି ଜିଲ୍ଲାପାଳଙ୍କୁ ସମୃକ୍ତ ଅଧିକାରୀଙ୍କ ତଦନ୍ତ ରିପୋର୍ଟ ସମ୍ପର୍କରେ ଜଣାଇବାକୁ ପତ୍ର ଲେଖି ଥିଲେ ମଧ୍ୟ ବିଭାଗର ରିପୋର୍ଟ ହସ୍ତଗତ ହୋଇନଥିବା ଜଣାପଡ଼ିଛି।