ଓଡ଼ିଶାକୁ ମିଳିଲା ୱାଲ୍ଡ ହାବିଟାଟ ପୁରସ୍କାର: ସଫଳତା ପାଇଁ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ବା ରାଜ୍ୟ ସରକାରଙ୍କ ଜାଗା ମିଶନକୁ ବିଶ୍ୱସ୍ତରୀୟ ମାନ୍ୟତା ମିଳିଛି। ଓଡ଼ିଶା ସରକାରଙ୍କ ଏହି ଅଭିନବ କାର୍ଯ୍ୟକ୍ରମ ପାଇଁ ୱାର୍ଲଡ ହାବିଟାଟ୍ ଓ ୟୁଏନ-ହାବିଟାଟ ପକ୍ଷରୁ ମିଳିତ ଭାବେ ତାମ୍ର ପଦକ ମିଳିଛି। ବିଶ୍ୱସ୍ତରରେ ଅଭିନବ ବାସଗୃହ ଯୋଜନା ବା କାର୍ଯ୍ୟକ୍ରମକୁ ପ୍ରତିବର୍ଷ ଏହିଭଳି ପୁରସ୍କାର ମିଳିଥାଏ। ଚଳିତ ବର୍ଷ ଓଡିଶାକୁ ପ୍ରଥମ ଥର ପାଇଁ ଏହି ମାନ୍ୟତା ମିଳିଛି । ଜାଗା ମିଶନକୁ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ଦିଗରେ ବିଶ୍ୱର ସର୍ବବୃହତ ଯୋଜନା ଭାବେ ସ୍ୱୀକୃତି ମିଳିଛି। ସେପଟେ ଏହି ପୁରସ୍କାର ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଗର ଉନ୍ନୟନ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି।

୨୦୧୮ ମେ ମାସରେ ଆରମ୍ଭ ହାଇଥିବା ଏହି ଯୋଜନା ଟାଟା ଟ୍ରଷ୍ଟ ଓ ନର୍ମାନ ଫାଉଣ୍ଡେସନ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାରେ ସହରାଞ୍ଚଳର ସବୁ ବସ୍ତିକୁ ରହିବା ଉପଯୋଗୀ ବାସଗୃହରେ ରୂପାନ୍ତରିତ କରିବାକୁ ଲଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ଜାଗା ମିଶନରେ ୫୨ ହଜାର ୬୮୨ ପରିବାରକୁ ଜମି ଅଧିକାର ମିଳିସାରିଛି। ୧୭୨୫ଟି ବସ୍ତିକୁ ଡ୍ରୋନ ଓ ଜିଆଇଏସ ଜ୍ଞାନକୌଶଳରେ ସର୍ଭେ କରାଯାଇଛି।

ନିଜସ୍ୱ ଜ୍ଞାନକୌଶଳରେ ଗୋଷ୍ଠି ସହଯୋଗରେ ବିନା ବାଦବିବାଦରେ ଏକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ତେବେ ୨୫୫ଟି ବସ୍ତିକୁ ରହିବା ଉପଯୋଗୀ ବାସସ୍ଥଳୀରେ ରୂପାନ୍ତରିତ କରାଯିବା ପ୍ରକ୍ରିୟା ଚାଲୁ ରହିଛି। ଏହି ଯୋଜନାରେ ବସ୍ତିରେ ରହୁଥିବା ଲକ୍ଷାଧିକ ସହରୀ ଗରିବଙ୍କୁ ସାମାଜିକ ସୁରକ୍ଷା ଦିଆଯିବ। ଏହି ଯୋଜନାରେ ଏଣିକି ଆଉ ବସ୍ତିବାସିନ୍ଦାଙ୍କୁ ପ୍ରତିଦିନ ଉଚ୍ଛେଦ ହେବାର ଭୟ ରହିବ ନାହିଁ। ସେମାନଙ୍କୁ ସରକାର ଆତ୍ମସମ୍ମାନ ଓ ସ୍ୱାଧିନତା ପ୍ରଦାନ କରିଛନ୍ତି।

ଏହି ପୁରସ୍କାର ଘାଷଣା ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ଓ ନଗର ଉନ୍ନୟନ ବିଭାଗ, ଟାଟା ଟ୍ରଷ୍ଟ ଏବଂ ନର୍ମାନ ଫାଉଣ୍ଡେସନକୁ ଅଭିନନ୍ଦନ ଜଣାଇବା ସହ ୧୭ ଲକ୍ଷ ସହରୀ ବସ୍ତିବାସିନ୍ଦାଙ୍କୁ ସଶକ୍ତ କରିବାକୁ ପ୍ରଚେଷ୍ଟା ଜାରି ରହିବ ବାଲି କହିଛନ୍ତି। ସେପଟେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ୱାର୍ଲଡ ହାବିଟାଟ ପୁରସ୍କାର ଦ୍ୱାରା ସହରୀ ଗରିବଙ୍କ ଜୀବନ ଧାରଣର ମାନ ପରିବର୍ତ୍ତନ ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶୃତିବଦ୍ଧତାକୁ ସ୍ୱୀକୃତି ମିଳିଛି। ରାଜ୍ୟ ସରକାରଙ୍କ ଏହି ମହତ ଅଭିଯାନରେ ସାମିଲ ହାଇଥିବାରୁ ଟାଟା ଟ୍ରଷ୍ଟ ନିଜକୁ ଗୌରବାନ୍ୱିତ ମନେକରୁଛି ରତନ ଟାଟା କହିଛନ୍ତି।

ସୂଚନାଅନୁଯାୟୀ, ସହରୀ ବସ୍ତିବାସୀନ୍ଦାଙ୍କ ଜୀବନ ଧାରଣର ମାନରେ ରୂପାନ୍ତରଣ ପାଇଁ ରାଜ୍ୟ ସରକାରଙ୍କ ଏହି ଅଭିନବ ଅଭିଯାନ ପାଇଁ ନିକଟରେ ଭାରତୀୟ ଜିଓସ୍ପାସିଆଲ ଏକ୍ସିଲେନ୍ସି ଆୱାର୍ଡ ମିଳିଥିଲା। ବିଶ୍ୱ ସ୍ତରରେ ପ୍ରଥମ ଥର ପାଇଁ ବସ୍ତିର ବିକାଶ ପାଇଁ ଡ୍ରୋନର ବ୍ୟବହାର କରି ଏକ ନିର୍ଦ୍ଧିଷ୍ଟ ସ୍ଥାନର ତଥ୍ୟ ପ୍ରସ୍ତୁତ କରାଯାଉଛି। ନିଜସ୍ୱ ଜ୍ଞାନ କୌଶଳରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କ ଏହି ଅଭିନବ କାର୍ଯ୍ୟକ୍ରମରୁ ବିଭିନ୍ନ ସ୍ତରରେ ନୀତି ନିର୍ଦ୍ଧାରକ, ପ୍ରଶାସକ ଓ ବିଶେଷଜ୍ଞମାନେ ପ୍ରଶଂସା କରୁଛନ୍ତି।