ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶପୂଜା, ମୃଣ୍ମୟ ମୂର୍ତ୍ତିରେ କାରିଗରଙ୍କ ଶେଷସ୍ପର୍ଶ

ଜଟଣୀ,୨୯ା୮/ଏନ୍ଏନ୍ଏସ୍: ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶପୂଜା ଆସନ୍ତା ସେପ୍ଟେମ୍ବର ୨ଠାରୁ ଆରମ୍ଭ ହେଉଛି। ଏନେଇ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ କାରିଗରମାନେ ମୃଣ୍ମୟ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି। ଇତି ମଧ୍ୟରେ ଜଟଣୀ ସହରର ପ୍ରମୁଖ ୧୩ଟି ପୂଜାମଣ୍ଡପରେ ଅଧିକ ଆକର୍ଷଣୀୟ କରାଯିବାକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହା ସହିତ ଛୋଟବଡ଼ ଆହୁରି ୨୦ଟି ପେଣ୍ଡାଲ ଏଥିରେ ଯୋଗଦେବାର ସୂଚନା ରହିଛି। ଅନ୍ୟପଟେ ଜଟଣୀର ପ୍ରମୁଖ ଗଣେଶପୂଜା କିପରି ସରସ ସୁନ୍ଦର ହେବ ସେନେଇ ସ୍ୱତନ୍ତ୍ର କମିଟି ଏବଂ ବ୍ୟବସାୟୀ ମହାସଂଘ ପକ୍ଷରୁ ଜୋର୍ଦାର ପ୍ରୟାସ ଆରମ୍ଭ ହୋଇଛି। ଚଳିତ ବର୍ଷ ସାମୁଦ୍ରିକ ଝଡ଼ ‘ଫାନି’ ଯୋଗୁଁ ସହରର ମେରୁଦଣ୍ଡ ଦୋହଲି ଯାଇଥିବାରୁ କେତେକ ପୂଜାମଣ୍ଡପରେ ଏହି ଉତ୍ସବ ଆଡ଼ମ୍ବର ସହକାରେ ନହେଲେ ମଧ୍ୟ ସ୍ୱାଭାବିକ ଭାବେ ପୂଜାକାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି ଏହାର କର୍ମକର୍ତ୍ତାମାନେ କହିଛନ୍ତି। ତେବେ ଜଟଣୀର ମୁଖ୍ୟବଜାର ରାଜାବଜାରରେ ପ୍ରତ୍ୟେକ ବର୍ଷ ୧୧ ଦିନ ବ୍ୟାପୀ ହେଉଥିବା ଏହି ପୂଜା ଉତ୍ସବ ଚଳିତବର୍ଷ ଆଉ ୨ଦିନ ଅଧିକ ଅନୁଷ୍ଠିତ ହେବବୋଲି ଜଣାପଡ଼ିଛି। ଏଥିରେ ଭାରତବର୍ଷର ଆକର୍ଷଣୀୟ ବିଜ୍ଞାନ ଭିତ୍ତିକ ‘ଚନ୍ଦ୍ରାୟନ-୨’ର ଏଲ୍ଇଡି ତୋରଣ ପ୍ରଦର୍ଶିତ ହେବ।
ସେହିପରି ଗୋଲେଇ ମାର୍କେଟ୍ରେ ହେଉଥିବା ସର୍ବପୁରାତନ ଗଣେଶପୂଜାରେ ଥାନପତି ଗଣେଶଙ୍କର ମୃଣ୍ମୟ ମୂର୍ତ୍ତି ସ୍ଥାପନ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଏହି ଅବସରରେ ଗଣେଶଙ୍କ ମେଳନ ହୋଇଥିବା ଜଣାଯାଏ। ଜଟଣୀ ମହୁଲଗୁଡ଼ିଆ ଛକରେ ବୁଢ଼ା ଗଣେଶ ନାମରେ ପରିଚିତ ଏହି ଠାକୁରଙ୍କ ନିକଟରେ ସଙ୍କୁଡ଼ି ତଥା ଅନ୍ନଭୋଗ ହୋଇଥାଏ। ସେହିପରି ଥାନାଛକରେ ହେଉଥିବା ପୂଜାମଣ୍ଡପରେ ଥାନାଧିକାରୀ କର୍ତ୍ତାଭାବେ ଯୋଗଦେବାର ପରମ୍ପରା ରହିଛି। ହରିଭାଇନା ଛକରେ ହେଉଥିବା ଏହି ପୂଜା ଉତ୍ସବରେ ପରମ୍ପରା ଅନୁଯାୟୀ ବାଦିପାଲା ପରିବେଷଣ ହେବ।