୧ଲକ୍ଷ ୫୦ ହଜାର କୋଟିର ବଜେଟ: କୃଷି ଓ ପର୍ଯ୍ୟଟନକୁ ଗୁରୁତ୍ୱ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଧାନସଭାରେ ୨୦୨୦-୨୧ ବର୍ଷର ଆର୍ଥିକ ବଜେଟ୍ ଉପାସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଚଳିତ ୨୦୨୦-୨୧ ଆର୍ଥିକବର୍ଷ ପାଇଁ ବିଧାନସଭାରେ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ଏହି ବଜେଟ୍ ପରିମାଣ ପ୍ରାୟ ୯.୨ ପ୍ରତିଶତ ଅଧିକ ରହିଛି। ପୂର୍ବବର୍ଷ ପରି ସରକାର ମଧ୍ୟ ସାଧାରଣ ବଜେଟ୍ ଓ କୃଷି ବଜେଟ୍ ଆଗତ କରିଛନ୍ତି।

୨୦୨୦-୨୧ ଆର୍ଥିକ ବର୍ଷରେ ବ୍ୟୟ ଅଟକଳ ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ରଖାଯାଇଛି। ଏଥିମଧ୍ୟରେ ୬୫ ହଜାର ୬ଶହ ୫୫ କୋଟି ଟଙ୍କା ପ୍ରଶାସନିକ ବ୍ୟୟ, ୩ ହଜାର ୨ଶହ କୋଟି ଟଙ୍କା କାର୍ଯ୍ୟକ୍ରମ ବ୍ୟୟ, ୩ହଜାର ୨ଶହ କୋଟି ଟଙ୍କା ବିପର୍ଯ୍ୟୟ ପ୍ରଶମନ ବ୍ୟୟ ଓ ୭ ହଜାର ୧ ଶହ ୪୫ କୋଟି ଟଙ୍କା ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ଉଦ୍ଦିଷ୍ଟ ହୋଇଛି।

ସ୍ୱାସ୍ଥ୍ୟସେବା ପାଇଁ ୫ ବର୍ଷରେ ବଜେଟ୍ ୭୭୦୦ କୋଟିକୁ ବୃଦ୍ଧି କରାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୧୦୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସ୍ୱାସ୍ଥ୍ୟ ଭିତ୍ତିଭୂମି, ଆମ୍ବୁଲାନ୍ସ ପାଇଁ ୧୬୫୨ କୋଟି ବ୍ୟୟବରାଦ କରାଯାଇଛି। କଟକ ଏସସିବି ବିକାଶ ପାଇଁ ୨ ବର୍ଷରେ ୧ ହଜାର କୋଟି ଟଙ୍କା ଖର୍ଚ୍ଚ ପାଇଁ ବ୍ୟବରାଦ କରାଯାଇଛି। ଆଉ ୭ଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ କରାଯାଉଛି।

ସେହିପରି ମୋ ସ୍କୁଲ ପାଇଁ ୪୦ କୋଟି ଓ ମୋ କଲେଜ ପାଇଁ ୨୦ କୋଟି ବ୍ୟୟବାରଦ କରାଯାଇଛି। ପର୍ଯ୍ୟଟନ କ୍ଷେତ୍ର ବିକାଶ ପାଇଁ ୪୦୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏକାମ୍ର କ୍ଷେତ୍ର ବିକାଶ ପାଇଁ ୧୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପୁରୀର ବିକାଶ ପାଇଁ ଅବଢ଼ା ଯୋଜନାରେ ୩୨୦୮ କୋଟି ଖର୍ଚ୍ଚ ଲକ୍ଷ୍ୟ ରଖାଯାଇଛି। ଏହାସହ କଟକ ସହର, ଭିତରକନିକା, ସମଲେଶ୍ୱରୀଙ୍କ ପାଇଁ ମଧ୍ୟ ବ୍ୟୟବରାଦ କରାଯାଇଛି।

ତେବେ କୃଷି କ୍ଷେତ୍ରରେ ରାଜ୍ୟର ଅଭିବୃଦ୍ଧି ହାର ୪.୫ ପ୍ରତିଶତ ଓ ଜାତୀୟ ଅଭିବୃଦ୍ଧି ହାର ୩.୧ ପ୍ରତିଶତ ରହିଛି। କୃଷି ପାଇଁ ଚଳିତ ବର୍ଷ ୧୯,୪୦୮ କୋଟି ବ୍ୟୟବାରାଦ କରାଯାଇଛି। ବଜେଟ୍ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ କହିଥିଲେ ଯେ, କୃଷକ ସଶକ୍ତିକରଣ ପାଇଁ କାଳିଆ ଯୋଜନା ଆରମ୍ଭ କରାଯାଇଛି। ଏଯାଏ କାଳିଆ ଯୋଜନାରେ ୪୩ ଲକ୍ଷ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଇଛି। ଏହି ଯୋଜନାରେ ୫୧୧୫ କୋଟି ଟଙ୍କା ଚାଷୀଙ୍କ ଖାତାକୁ ଦିଆଯାଇଥିବା ନେଇ ମନ୍ତ୍ରୀ କହିଥିଲେ। ବିହନ ପାଇଁ ୧୦୦ ଓ ସାର ପାଇଁ ୧୦୦ କୋଟି ଆବର୍ତ୍ତନ ପାଣ୍ଠି ରହିଛି। ଚଳିତ ଆର୍ଥିକ ବର୍ଷରେ ଆଉ ୧.୮୪ ଲକ୍ଷ ହେକ୍ଟରକୁ ଜଳ ଯୋଗାଣ ଲକ୍ଷ୍ୟ ରଖାଯାଇଛି।

ପାଇପ ପାଣି ଜଳ ଯୋଗାଣ ପାଇଁ ମୋଟ ୮ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ପାଇଁ ୩୯୬୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମମତା ଯୋଜନା ପାଇଁ ୩୦୫ କୋଟି ବ୍ୟୟବରାଦ କରାଯାଇଛି। ମିଶନ ଶକ୍ତିରେ ଋଣ ଯୋଗଣ ପାଇଁ ୧୫୦ କୋଟି ଓ ମନରେଗା ପାଇଁ ମୋଟ ୧୫୦୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମହିଳା ଓ ଶିଶୁବିକାଶ ବିଭାଗ ପାଇଁ ୪୦୭୫ କୋଟି ବ୍ୟୟବରାଦ କରାଯାଇଛି।