ରାଜ୍ୟ ସରକାର ଓଡ଼ିଆଙ୍କ ଆସ୍ଥାକୁ ହତ୍ୟା କରିପାରିବେ ନାହିଁ: ବିଜେପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁରୀ ସ୍ୱର୍ଗଦ୍ୱାର ଶବଦାହ ଉପରେ କଟକଣା  ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତି ଉପରେ ବର୍ଷିଛି ରାଜ୍ୟ ବିଜେପି। ସରକାରଙ୍କ ଉପରୋକ୍ତ ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ରାଜ୍ୟ ସରକାର ଓଡ଼ିଆ ଲୋକଙ୍କ ଆସ୍ଥାକୁ ହତ୍ୟା କରିପାରିବେ ନାହିଁ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
ସେ କହିଛନ୍ତି ଯେ, ପୁରୀ ପ୍ରଶାସନ ପୁରୀ ବ୍ୟତୀତ ଅନ୍ୟ କୌଣସି ଜିଲ୍ଲାର ଲୋକଙ୍କୁ ସ୍ୱର୍ଗଦ୍ୱାରକୁ ଯିବା ପାଇଁ ବାରଣ କରିବା ସହ ଶବଦାହ ଉପରେ କଟକଣା ଲଗାଇଛନ୍ତି। କେବଳ ସେତିକି ନୁହେଁ ସମୁଦ୍ର କୂଳରେ ଅସ୍ଥି ବିସର୍ଜନ ନେଇ ମଧ୍ୟ କଟକଣା ଲଗାଯାଇଛି। ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ନିଷ୍ପତ୍ତି ଅଟେ। ହିନ୍ଦୁ ଧର୍ମରେ ସ୍ୱର୍ଗଦ୍ୱାରରେ ଶବଦାହ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ପ୍ରତିଦିନ ସ୍ୱର୍ଗଦ୍ୱାରରେ ଅନେକ ଶବ ଦାହ କରାଯାଏ। ସେହିପରି ମହୋଦଧିରେ ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ କରିବା ପାଇଁ ରାଜ୍ୟର ପ୍ରତି କୋଣ ଅନୁକୋଣରୁ ଲୋକ ଆସିଥାନ୍ତି। ଏଥିରେ ଓଡ଼ିଶା ଲୋକଙ୍କର ଆସ୍ଥା ଜଡ଼ିତ ହୋଇ ରହିଛି। ରାଜ୍ୟସରକାର କୌଣସି ପ୍ରକାରରେ ହିନ୍ଦୁ ଧର୍ମ ଏବଂ ଓଡ଼ିଆ ଲୋକଙ୍କ ଆସ୍ଥାକୁ ହତ୍ୟା କରିପାରିବେ ନାହିଁ ବୋଲି ସେ ମନ୍ତବ୍ୟ ଦେଇଛନ୍ତି।

ସରକାରଙ୍କ ଗୃହ ବିଭାଗ ଦ୍ୱାରା ଘୋଷିତ ହୋଇଥିବା କୋଭିଡ୍ ନିୟନ୍ତ୍ରଣ ନିୟମକୁ ଅନୁପାଳନ କରାଇବାର ଦାୟିତ୍ୱ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର। ଏହାକୁ ପାଳନ କରି ଶବଦାହ କରିବାର ଅନୁମତି ଦେବା ସରକାରଙ୍କ ନୈତିକ ଦାୟିତ୍ୱ ମଧ୍ୟ। ଏଥିପାଇଁ ସରକାର ଲୋକଙ୍କ ନିଷ୍ଠା, ବିଶ୍ୱାସ ଓ ଆସ୍ଥାକୁ ହତ୍ୟା କରିପାରିବେ ନାହିଁ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ କରାଇବାର ଷଡ଼୍ୟନ୍ତ୍ର କରିଥିବା ରାଜ୍ୟସରକାର ହିନ୍ଦୁ ଧର୍ମର ବିଶ୍ୱାସକୁ ନଷ୍ଟ କରିବା ପାଇଁ ଦ୍ୱିତୀୟ ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି।