ବିଜେପି ରାଜ୍ୟ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେପିର ରାଜ୍ୟ ସଭାପତି ନିର୍ବାଚନ ପାଇଁ ମଙ୍ଗଳବାର ଦଳୀୟ କାର୍ୟ୍ୟାଳୟରେ ପହଞ୍ଚିଛନ୍ତି ବରିଷ୍ଠ ନେତା ବିନୟ ସହସ୍ର ବୁଦ୍ଧେ ଓ ରାଷ୍ଟ୍ରୀୟ ସମ୍ପାଦକ ଆରପି ସିଂହ । ଏ ନେଇ ବିଜେପି ନେତାଙ୍କ ସହ ଆଲୋଚନା ଜାରି ରହିଥିବା ଜଣାଯାଇଛି । ଏହାପରେ ୨ କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ବରିଷ୍ଠ ନେତା ରାଜୀବ ପ୍ରତାପ ରୁଢ଼ୀଙ୍କ ଉପସ୍ଥିତିରେ ରାଜ୍ୟ ବିଜେପି ସଭାପତି ନିର୍ବାଚନ ହେବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ବର୍ତ୍ତମାନର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କର କାର୍ୟ୍ୟକାଳ ଚଳିତ ମାସରେ ଶେଷ ହେଉଛି । ତେଣୁ ଆସନ୍ତା ଜାନୁଆରି ମାସରେ ବିଜେପିର ନୂଆ ସଭାପତି ଦାୟିତ୍ୱ ଗ୍ରହଣ କରିବେ ।

ଉଲ୍ଲେଖଯାଗ୍ୟ ଯେ ଡିସେମ୍ବର ମାସ ସୁଦ୍ଧା ବିଜେପି ରାଜ୍ୟ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ଏବଂ ନୂଆ ରାଜ୍ୟ ସଭାପତି ନର୍ବାଚିତ ହେବେ ବୋଲି ପୂର୍ବରୁ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇଥିଲେ । ଶ୍ରୀ ସିଂହଙ୍କ କହିବା ଅନୁଯାୟୀ ବିଜେପି ରାଜ୍ୟ ସଭାପତି ପଦ ପାଇଁ ଏକ ମତଦାତା ସୂଚୀ ତିଆରି କରାଯାଇଥାଏ। ଏଥିରେ ସମସ୍ତ ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଓ ରାଜ୍ୟ ପରିଷଦର ସଦସ୍ୟମାନେ ରହିଥା’ନ୍ତି। ଏହି ମତଦାତା ସୂଚୀର ସଦସ୍ୟମାନେ ରାଜ୍ୟ ସଭାପତି ବାଛିଥା’ନ୍ତି।