ବିଧାନସଭା ହେବ କାଗଜ ଶୂନ୍ୟ

ଭୁବନେଶ୍ୱର, ଏନ୍ଏନ୍ଏସ୍: ବିଧାନସଭାର କାର୍ଯ୍ୟଧାରା ହେବ କାଗଜଶୂନ୍ୟ। ଏଥିପାଇଁ ବିଧାୟକମାନେ ଅନଲାଇନ ମାଧ୍ୟମରେ ପ୍ରଶ୍ନ କରିପାରିବେ। ‘ନାଭା’ ଆପ୍ ଜରିଆରେ ବି ସେମାନେ ନିଜ ମୋବାଇଲରୁ ବିଧାନସଭା କାର୍ଯ୍ୟାଳୟକୁ ପ୍ରଶ୍ନ ପଚାରିପାରିବେ। ଏହାର ଉତ୍ତର ଧାର୍ଯ୍ୟ ସମୟ ମଧ୍ୟରେ ସଂପୃକ୍ତ ବିଧାୟକଙ୍କୁ ଆପ୍ ମାଧ୍ୟମରେ ପ୍ରଦାନ କରାଯିବ। ଆବଶ୍ୟକ ପଡ଼ିଲେ ବିଧାୟକଙ୍କୁ ଏଥିନେଇ ସବିଶେଷ ତାଲିମ ଦିଆଯିବାର ବ୍ୟବସ୍ଥା ହେବ।

ଶୁକ୍ରବାର ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ବାଚସ୍ପତି କହିଥିଲେ, ଜାନୁୟାରୀ ୨୯ରୁ ସଂସଦ ଆରମ୍ଭ ହେବ ବୋଲି ଘୋଷଣା ସରିଛି। ଏହି ଅଧିବେଶନ କାଳରେ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ ହେବ। ତେଣୁ ଓଡ଼ିଶା ବିଧାନସଭା ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ କରିବାକୁ ଆପାତତଃ ସ୍ଥିର ହୋଇଛି। ହେଲେ ବିଧି ଅନୁସାରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଆବଶ୍ୟକ ପରାମର୍ଶ ଓ ଅନୁମତି ନେବାକୁ ହେବ। ତେବେ ଏଥର ଅଧିବେଶନ କାଳରେ କୌଣସି ସରକାରୀ କାର୍ଯ୍ୟ ନିମନ୍ତେ କାଗଜ ବ୍ୟବହାର ନକରିବାକୁ ବ୍ୟବସ୍ଥା ହେଉଛି। ପ୍ରଥମଥର ପାଇଁ ବିଧାୟକଙ୍କୁ ସେମାନଙ୍କ ପ୍ରଶ୍ନ ଅନଲାଇନରେ ପଚାରିବାର ସୁବିଧା ଦିଆଯାଇଛି। ‘ନାଭା’ ଆପ୍ ଜରିଆରେ ସେମାନେ ନିଜ ମେବାଇଲରୁ ବିଧାନସଭା କାର୍ଯ୍ୟାଳୟକୁ ପ୍ରଶ୍ନ ପଚାରି  ତାର ଉତ୍ତର ପାଇପାରିବେ। ଏଥିପାଇଁ ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ସମସ୍ତଙ୍କୁ ନିର୍ଦ୍ଧାରିତ ତାଲିମ ବି ଦିଆଯାଇଛି। ବାଚସ୍ପତି କହିଥିଲେ, ସମଗ୍ର ଦେଶରେ କାଗଜମୁକ୍ତ ବିଧାନସଭା କରିବାରେ ଅରୁଣାଚଳ ପ୍ରଦେଶ ସର୍ବାଗ୍ରେ ରହିଛି। ଅନ୍ୟ କୌଣସି ରାଜ୍ୟ ଏହି କାର୍ଯ୍ୟ କରିପାରିନାହାନ୍ତି। ତେଣୁ ଓଡ଼ିଶା ଅରୁଣାଚଳ ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ନୂଆ ପରମ୍ପରା ସୃଷ୍ଟି କରିବ। ଏଥିପାଇଁ ପ୍ରାରମ୍ଭିକ କାର୍ଯ୍ୟ ଶେଷ ହୋଇଛି ବୋଲି ସେ ସ୍ପଷ୍ଟ କରିଥିଲେ।

ଉଲ୍ଲେଖନୀୟ ଯେ, ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ ଡଃ ରାଜେନ୍ଦ୍ର ଏସ୍ ଶୁକ୍ଳା ଗୁରୁବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଇ-ବିଧାନସଭାକୁ ଭୂୟସୀ ପ୍ରଂଶସା କରିଥିଲେ। ପରେ ଗଣମାଧ୍ୟମକୁ ଡଃ ଶୁକ୍ଳା କହିଥିଲେ, ପଞ୍ଜାବ ଭଳି ଓଡିଶା ବିଧାନସଭାର କାର୍ଯ୍ୟ ବେଶ୍ ଉଲ୍ଲେଖନୀୟ ରହିଛି। କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ ଅର୍ଥାତ ୧ କୋଟି ୨ ଲକ୍ଷ ୯୬ ହଜାର ୪୦୮ ଟଙ୍କାର ଆର୍ଥିକ ଅନୁଦାନ ଦେଇଥିବାବେଳେ ରାଜ୍ୟ ସରକାର ସରକାରଙ୍କ ଅବଶଷ୍ଟି ଶତକଡା ୪୦ ଭାଗ ଅର୍ଥ ଦେଇଛନ୍ତି। ଏଥିରେ ଇ-ବିଧାନସଭା କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି।