ଭୁବନେଶ୍ଵର,ଏନ୍ଏନ୍ଏସ୍ : ରାଜ୍ୟରେ ପନିପରିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ତେଲ, ଡାଲିଠାରୁ ଆରମ୍ଭ କରି ଅଧିକାଂଶ ସାମଗ୍ରୀର ମୂଲ୍ୟ ବଢ଼ି ଚାଲିଛି। ଫଳରେ ଖାଉଟି ବହୁ ହନ୍ତସନ୍ତ ହେଉଛି। ଏହାକୁ ନେଇ ବୁଧବାର ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି।
ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଦର ବୃଦ୍ଧିକୁ ସ୍ବୀକାର କରିଛନ୍ତି। ସେ ଗୃହରେ ବିବୃତି ଦେଇ କହିଛନ୍ତି ଯେ, ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି। ଏହି ସମସ୍ୟା ଖାଲି ରାଜ୍ୟର ନୁହେଁ, ଏହା ଜାତୀୟ ସମସ୍ୟା। ଏସବୁ ପାଇଁ ଆମେମାନେ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରୁଛୁ। ଦର ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ସରକାର ବ୍ୟବସାୟୀମାନଙ୍କ ସହ ବୈଠକ କରି ଦର ଉପରେ ନଜର ରଖିଛନ୍ତି। କଳାବଜାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଛି।