୨୭ରେ ଭୁବନେଶ୍ୱର ଚାଲ ଡାକରା ଦେଲା ଓଡ଼ିଶା ଅମଲା ସଂଘ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଓଡ଼ିଶା ଅମଲା ସଂଘ ନବରଙ୍ଗପୁର ଶାଖା ତରଫରୁ ଗୁରୁତ୍ୱପୂର୍ଣ୍ଣ ଆଭାସି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆସନ୍ତା ୨୭ ତାରିଖ ଜିଲ୍ଲାର ୩୨ଟି ବିଭାଗର ଅମଲା ‘ଭୁବନେଶ୍ୱର ଚାଲ ଅଭିଯାନ’ରେ କିପରି ଭାଗ ନେବେ ସେନେଇ ଆଲୋଚନା ହୋଇଥିଲା । ଗତ ୨୦୧୭ ମସିହାରେ ଜିଲ୍ଲାସ୍ତରୀୟ ଅମଲାଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ହୋଇଥିବାସ୍ଥଳେ ସେହି ଅନୁପାତରେ ଆଜିପର୍ଯ୍ୟନ୍ତ ଦରମା ନ’ ମିଳିବା କାରଣରୁ ସାରା ଓଡ଼ିଶାର ଅମଲା ଆସନ୍ତା ୨୭ ତାରିଖରେ ଭୁବନେଶ୍ୱରରେ ଆନ୍ଦୋଳନ କରି ବିକ୍ଷୋଭ ପ୍ରଦର୍ଶନ କରିବାକୁ ରାଜ୍ୟ ମୁଖ୍ୟ ସଂଘ ଡାକରା ଦେଇଛି । ସେଥିପାଇଁ ଆସନ୍ତା ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯିବ । ଜିଲ୍ଲାସ୍ତରରୁ ସଚିବାଳୟ ପର୍ଯ୍ୟନ୍ତ ସମାନ କାମକୁ ସମାନ ଦରମା ଦେବାକୁ ସଂଘ ଦାବୀ କରୁଛି । ନିଜର ଜିଲ୍ଲାସ୍ତରୀୟ କନିଷ୍ଠ ଅମଲାଙ୍କୁ ୪,୨୦୦ ଟଙ୍କା ଗ୍ରେଡ ପେ ଅନୁସାରେ ଦରମା ଦେବାକୁ ଓଡ଼ିଶାର ୩୦ଟି ଜିଲ୍ଲା ଅମଲା ସମାଜ ବର୍ତ୍ତମାନ ଅଣ୍ଟା ଭିଡ଼ିଛନ୍ତି । ଏହି ଆଭାସୀ ବୈଠକରେ ଶାଖା ସଂଘ ସଭାପତି ବୁଲୁ ହୋତା ଅଧ୍ୟକ୍ଷତା କରିଥିବାବେଳେ ରାଜ୍ୟ ସଂଘର କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ତରାସିଆ ନିମନ୍ତ୍ରିତ ଅତିଥିଭାବେ ଯୋଗଦେଇ ଆନ୍ଦୋଳନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଶାଖା ସଂଘ ଅଧ୍ୟକ୍ଷ କୈଳାଶ ସାମନ୍ତରା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିସହିତ ଜିଲ୍ଲାର କୋଣଅନୁକୋଣରୁ ବିଭିନ୍ନ ବିଭାଗର ଅମଲାମାନେ ଯୋଗ ଦେଇଥିଲେ ।